ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଅନୁଭୂତ ହେଲାଣି ଶୀତର ପ୍ରକୋପ। ରାତିର ତାପମାତ୍ରା କମିବା ସହ ଅନେକ ସ୍ଥାନରେ ଥଣ୍ଡା ବଢ଼ିବାରେ ଲାଗିଛି। କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୧.୧ ଡିଗ୍ରୀ ସେଲସିୟସକୁ ଖସି ଆସିଛି। ଅନ୍ୟପଟେ ରାଜ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପାଣିପାଗ ଉପରେ ନଜର ରହିଛି।
ସେମିଳିଗୁଡ଼ା ପରେ ଜି. ଉଦୟଗିରିରେ ୧୨.୫ ଡିଗ୍ରୀ ଏବଂ ନବରଙ୍ଗପୁରରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ା, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ମଧ୍ୟ ରାତିର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି।
କେବଳ ଆଭ୍ୟନ୍ତରୀଣ ଓଡ଼ିଶା ନୁହେଁ, ଉପକୂଳ ଅଞ୍ଚଳରେ ମଧ୍ୟ ଶୀତ ଅନୁଭୂତ ହେଉଛି। କଟକ, ଭଦ୍ରକର ରାଣୀତାଲ, ଯାଜପୁର ଓ ଖୋର୍ଦ୍ଧାରେ ରାତିର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି।
୬ରୁ ୭ ଦିନ ଯାଏ ପାଗରେ ବଡ଼ ପରିବର୍ତ୍ତନ ନାହିଁ
ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ଦିନଗୁଡ଼ିକରେ ରାତି ତାପମାତ୍ରାରେ ବିଶେଷ ହ୍ରାସ କିମ୍ବା ବୃଦ୍ଧି ହେବାର ସମ୍ଭାବନା ନାହିଁ। ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ପାଗରେ ମଧ୍ୟ ବଡ଼ ପରିବର୍ତ୍ତନ ହେବନାହିଁ। ଭୁବନେଶ୍ୱର ସମେତ କିଛି ସ୍ଥାନରେ ହାଲୁକା ଥଣ୍ଡା ଅନୁଭୂତ ହେବ।
ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଅନ୍ୟପଟେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ନଭେମ୍ବର ୧୩ ସୁଦ୍ଧା ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ।
ଏହା ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୧୪ ତାରିଖରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ଆକଳନ କରାଯାଇଛି। ୧୫ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେଇପାରେ।
ଓଡ଼ିଶାରେ ବର୍ଷା ହେବ କି?
ସମ୍ଭାବ୍ୟ ଲଘୁଚାପକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଓଡ଼ିଶା ପାଇଁ ଆଇଏମଡିର ପୂର୍ବାନୁମାନ କିଛିଟା ଭିନ୍ନ ରହିଛି। ନଭେମ୍ବର ୧୭ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ୧୮ରୁ ୨୧ ତାରିଖ ମଧ୍ୟରେ ମଧ୍ୟ ପାଗରେ ବିଶେଷ ପରିବର୍ତ୍ତନର ସଙ୍କେତ ନାହିଁ।
ଏଥିରୁ ସ୍ପଷ୍ଟ ଯେ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଅବପାତର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ, ତାହା ଉପରେ ଏବେ ନଜର ରହିଛି।

