ନୁଆଦିଲ୍ଲୀ: ଆଇପିଏଲ୍ ୨୦୨୭ ପୂର୍ବରୁ ଭାରତୀୟ କ୍ରିକେଟ୍ ଜଗତରେ ବଡ଼ ଟ୍ରେଡ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ସିଜିନରେ ନୂଆ ଦଳରୁ ଖେଳିପାରନ୍ତି ବୋଲି ଖବର ଆସୁଛି। ହାର୍ଦ୍ଦିକଙ୍କୁ ନିଜ ଦଳରେ ସାମିଲ କରିବାକୁ ପଞ୍ଜାବ କିଙ୍ଗ୍ସ ଆଗ୍ରହ ଦେଖାଇଥିବା ଚର୍ଚ୍ଚା ହେଉଛି।
ସବୁଠୁ ବଡ଼ କଥା ହେଉଛି, ଏହି ଟ୍ରେଡ୍ରେ ପଞ୍ଜାବ କିଙ୍ଗ୍ସର ଦୁଇ ଖେଳାଳି ଅର୍ଶଦୀପ ସିଂ ଓ ବିଷ୍ଣୁ ବିନୋଦଙ୍କ ନାଁ ସାମ୍ନାକୁ ଆସିଛି। ଉଭୟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସକୁ ଦେଇ ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବାକୁ ଆଲୋଚନା ଚାଲିଥିବା ରିପୋର୍ଟ ପ୍ରକାଶ ପାଇଛି।
ଅର୍ଶଦୀପ ଓ ବିଷ୍ଣୁଙ୍କ ବଦଳରେ ହାର୍ଦ୍ଦିକ!
ସ୍ପୋର୍ଟ୍ସଷ୍ଟାରର ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍ କରିବା ନେଇ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଲୋଚନା ଆଗକୁ ବଢ଼ିଛି। ଏହି ଡିଲ୍ରେ ଅର୍ଶଦୀପ ସିଂ ଓ ବିଷ୍ଣୁ ବିନୋଦଙ୍କୁ ମୁମ୍ବାଇ ଦଳରେ ସାମିଲ କରାଯାଇପାରେ। ତେବେ ଏହି ଟ୍ରେଡ୍କୁ ଆଇପିଏଲ୍ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିବା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ସ୍ପଷ୍ଟ ହେବ।
ମୁମ୍ବାଇ ଆରମ୍ଭ କରିଥିଲା ଟ୍ରେଡ୍ ଆଲୋଚନା
ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକଙ୍କୁ ଟ୍ରେଡ୍ କରିବାର ପ୍ରସ୍ତାବ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆସିଥିଲା। ଏଥିପାଇଁ ଜଣେ ଦ୍ରୁତ ବୋଲରଙ୍କୁ ନେବାକୁ ମୁମ୍ବାଇ ଆଗ୍ରହୀ ଥିଲା। ଏହାପରେ ପଞ୍ଜାବ କିଙ୍ଗ୍ସ ସହ ଆଲୋଚନା ଆରମ୍ଭ ହୋଇଥିବା କୁହାଯାଉଛି।
ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଆଉ ତିନୋଟି ଫ୍ରାଞ୍ଚାଇଜ୍ ସହ ହାର୍ଦ୍ଦିକଙ୍କ ଟ୍ରେଡ୍ ନେଇ ଯୋଗାଯୋଗ କରିଥିଲା। ସେଥିମଧ୍ୟରୁ କୋଲକାତା ନାଇଟ୍ ରାଇଡର୍ସ ସହ ଆଲୋଚନା କିଛି ବାଟ ଆଗେଇଥିଲା। ହାର୍ଦ୍ଦିକଙ୍କ ବଦଳରେ ଏକାଧିକ ଖେଳାଳିଙ୍କୁ ନେବା ନେଇ ବିଚାର ହୋଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।
ପଞ୍ଜାବରେ ମଧ୍ୟ ହେବ ବଡ଼ ପରିବର୍ତ୍ତନ!
ଯଦି ଅର୍ଶଦୀପ ସିଂ ପଞ୍ଜାବ କିଙ୍ଗ୍ସ ଛାଡ଼ନ୍ତି, ତେବେ ଦଳର ବୋଲିଂ ବିଭାଗରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହେବ। ଏହାକୁ ପୂରଣ କରିବା ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସହ ଆଉ ଏକ ଟ୍ରେଡ୍ ଡିଲ୍ ହେବାର ସମ୍ଭାବନା ରହିଛି।
ଏହି ଡିଲ୍ରେ ମୋହସିନ ଖାନ ଓ ମାର୍କସ ଷ୍ଟୋଇନିସଙ୍କ ଅଦଳବଦଳ ନେଇ ଆଲୋଚନା ହେଉଥିବା ଜଣାପଡ଼ିଛି। ହାର୍ଦ୍ଦିକ ପଞ୍ଜାବ ଦଳକୁ ଆସିଲେ ଷ୍ଟୋଇନିସଙ୍କ ଗୁରୁତ୍ୱ କମିପାରେ। ଅନ୍ୟପଟେ ମୋହସିନ ଖାନଙ୍କୁ ନେଇ ଦଳ ନିଜର ବାମହାତୀ ଦ୍ରୁତ ବୋଲିଂ ବିଭାଗକୁ ମଜବୁତ କରିପାରିବ।
ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୬ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୬.୩୫ କୋଟି ଟଙ୍କାରେ ରିଟେନ୍ କରିଥିଲା। ଏବେ ୨୦୨୭ ସିଜିନ୍ ପୂର୍ବରୁ ତାଙ୍କୁ ନେଇ ଚାଲିଥିବା ଟ୍ରେଡ୍ ଚର୍ଚ୍ଚା କ୍ରିକେଟ୍ ପ୍ରଶଂସକଙ୍କ ଉତ୍ସୁକତା ବଢ଼ାଇ ଦେଇଛି। ତେବେ ହାର୍ଦ୍ଦିକ ମୁମ୍ବାଇ ଛାଡ଼ି ପଞ୍ଜାବ ଯିବେ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

