ବର୍ଦ୍ଧମାନ: ପରୀକ୍ଷାରେ ଭଲ ନମ୍ବର ରଖିଲେ ପିଲାଙ୍କୁ ମିଳେ ମନପସନ୍ଦ ଉପହାର। କେହି ନୂଆ ସାଇକେଲ୍ ପାଆନ୍ତି ତ ଆଉ କେହି ମୋବାଇଲ୍ କିମ୍ବା ଦାମୀ ଘଣ୍ଟା। ହେଲେ ପଶ୍ଚିମବଙ୍ଗର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ବାପା ଦେଇଥିବା ଉପହାର ଏବେ ସମସ୍ତଙ୍କୁ ଚକିତ କରିଛି। ପୁଅର ଭଲ ପରୀକ୍ଷା ଫଳ ପାଇଁ ବାପା ତାଙ୍କୁ ଉପହାରରେ ଦେଇଛନ୍ତି ୨ କୋଟି ୩୦ ଲକ୍ଷ ଟଙ୍କାର ଏକ ବିଳାସପୂର୍ଣ୍ଣ BMW କାର୍।
ଏହି ଘଟଣା ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର। ୧୫ ବର୍ଷୀୟ ମହମ୍ମଦ ତଲହା ଏକ ପ୍ରତିଷ୍ଠିତ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ନିକଟରେ ତାଙ୍କର ଅର୍ଦ୍ଧବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ ତଲହା ଭଲ ପ୍ରଦର୍ଶନ କରିଥିଲେ। ପୁଅର ଏହି ସଫଳତାରେ ଖୁସି ହୋଇ ତାଙ୍କ ବାପା ଶାମସୁଦ୍ଦିନ ମିଦ୍ୟା ଏକ ବଡ଼ ଉପହାର ଦେବାକୁ ନିଷ୍ପତ୍ତି ନେଇଥିଲେ।
ପୁଅର ପରିଶ୍ରମକୁ ପ୍ରଶଂସା କରିବା ସହ ତାକୁ ଉତ୍ସାହିତ କରିବା ପାଇଁ ଶାମସୁଦ୍ଦିନ ତାଙ୍କୁ କାର୍ ସୋ’ରୁମ୍କୁ ନେଇଥିଲେ। ସେଠାରେ ପ୍ରାୟ ୨.୩୦ କୋଟି ଟଙ୍କା ମୂଲ୍ୟର BMW M4 କାର୍ ବୁକ୍ କରି ଉପହାର ଦେଇଥିଲେ।
ଏହି ଖବର ସାମ୍ନାକୁ ଆସିବା ପରେ ଏବେ ସୋସିଆଲ ମିଡିଆରେ ତଲହା ଓ ତାଙ୍କ ବାପାଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ସାଧାରଣତଃ ଭଲ ପାଠ ପଢ଼ିଲେ ପିଲାଙ୍କୁ ଛୋଟମୋଟ ଉପହାର ମିଳୁଥିବା ବେଳେ ଏଠାରେ ଜଣେ ଛାତ୍ରଙ୍କୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର କାର୍ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

