ଭୁବନେଶ୍ୱର, ୨୫।୧୧ : ମାସକର ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଆଜି କମିବ ଛାଡ଼ଖାଇ। ଆସିଯାଇଛି ଆମିଷପ୍ରେମୀଙ୍କ ବହୁ ପ୍ରତୀକ୍ଷିତ ଦିନ ଛାଡ଼ଖାଇ। ଏଥର ବୁଧବାରରେ ପଡ଼ିଛି ଛାଡ଼ଖାଇ। ତେଣୁ ଆମିଷପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଲାଣି। କେହି ମଟନ୍ ପାଇଁ ଅର୍ଡର ଦେଲେଣି ତ ଆଉ କେହି ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ପାଇଁ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରୁଛନ୍ତି। ଏଥର ଧୁମ୍ଧାମ୍ରେ ଛାଡ଼ଖାଇ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ।
ଛାଡ଼ଖାଇକୁ ଆଖିରେ ରଖି ରାଜଧାନୀର ଆମିଷ ବଜାର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ମାଛ, ମାଂସ ଓ କୁକୁଡ଼ା ବ୍ୟବସାୟୀଙ୍କ ପାଖକୁ ଗ୍ରାହକଙ୍କ ଫୋନ୍ ଆସିବା ଆରମ୍ଭ ହୋଇଗଲାଣି। ଅନେକ ଗ୍ରାହକ ଆଗୁଆ ବଇନା ଦେଇ ନିଜ ପସନ୍ଦର ଆମିଷ ବରାଦ କରିଛନ୍ତି। ଅନ୍ୟପଟେ ଛାଡ଼ଖାଇ ପାଇଁ ଆମିଷ ବ୍ୟବସାୟୀମାନେ ରାତି ଅଧରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ସ୍ଥାନରୁ ଟ୍ରକ୍ ଓ ପିକ୍ଅପ୍ ଭ୍ୟାନ୍ରେ ମାଛ, କୁକୁଡ଼ା ଓ ଖାସି ଆସି ପହଞ୍ଚୁଛି।
ଏହାରି ଭିତରେ ଅଲ୍ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ପକ୍ଷରୁ ଛାଡ଼ଖାଇ ପାଇଁ ଦର ତାଲିକା ମଧ୍ୟ ଜାରି କରାଯାଇଛି।
ପ୍ରତିବର୍ଷ ଭଳି ଏଥର ମଧ୍ୟ ଖାସି ମାଂସର ଚାହିଦା ସବୁଠାରୁ ଅଧିକ ରହିବା ଆଶା କରାଯାଉଛି। ଏଥିପାଇଁ ବିହାର ଓ ଉତ୍ତରପ୍ରଦେଶରୁ ସ୍ୱତନ୍ତ୍ର ଖାସି ମଗାଯାଇଛି। ଏହାର ଓଜନ କିଲୋଗ୍ରାମ ପିଛା ୯୦୦ରୁ ୯୫୦ ଟଙ୍କା ମଧ୍ୟରେ ରହିଛି। ସେହିପରି ବାରିପଦା, ନୟାଗଡ଼ ଓ ଯଶିପୁରରୁ ମଧ୍ୟ ଖାସି ଆସିବାର ବ୍ୟବସ୍ଥା ହୋଇଛି।
ବ୍ୟବସାୟୀଙ୍କ ସୂଚନା ଅନୁସାରେ, ଛାଡ଼ଖାଇ ପାଇଁ ମୋଟ ୨ କୋଟି ୬୨ ଲକ୍ଷ ଟଙ୍କାର ମଟନ୍ ଆସିଛି। ଏହି ଅବସରରେ ୫୦୦ କୁଇଣ୍ଟାଲରୁ ଅଧିକ ଖାସି ମାଂସ ବିକ୍ରି ହେବାର ଆକଳନ କରାଯାଇଛି। ତେବେ ଛାଡ଼ଖାଇ ଦିନ ଆମିଷ ବଜାରରେ କେତେ ଭିଡ଼ ଜମୁଛି ଏବଂ ବ୍ୟବସାୟ କେତେ ଜମୁଛି, ତାହା ଦେଖିବାକୁ ରହିଲା।

