ରାଜୀବ ଗାନ୍ଧୀଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର! ବାପାଙ୍କ ସୁରକ୍ଷା ହଟାଇବାକୁ ନେଇ ରାହୁଲଙ୍କ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର ତାଙ୍କ ପୁଅ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ବଡ଼ ଦାବି କରିଛନ୍ତି। ରାଜୀବ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇବା ପଛରେ ଜାଣିଶୁଣି ଉଦ୍ଦେଶ୍ୟ ରହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହା କେବଳ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନଥିଲା, ବରଂ ତାଙ୍କୁ ହତ୍ୟା କରିବା ପାଇଁ ଏଭଳି ପରିସ୍ଥିତି ତିଆରି କରାଯାଇଥିଲା ବୋଲି ରାହୁଲ କହିଛନ୍ତି।

ନିଜ ମାଆ ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ଭିଡିଓ ଆଲୋଚନାରେ ରାହୁଲ ଏହି ମନ୍ତବ୍ୟ ଦେଇଛନ୍ତି। ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘Belonging: A Journey of Love’ରେ ସ୍ଥାନ ପାଇନଥିବା କିଛି ପାରିବାରିକ ଘଟଣା ଓ ପୁରୁଣା ସ୍ମୃତିକୁ ନେଇ ଏହି ଆଲୋଚନା ହୋଇଥିଲା।

ବିହାର ଗସ୍ତ ବେଳେ ରାଜୀବଙ୍କ ଉପରକୁ ହୋଇଥିଲା ଆକ୍ରମଣ

ଆଲୋଚନା ସମୟରେ ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀଙ୍କ ବିହାର ଗସ୍ତର ଏକ ପୁରୁଣା ଘଟଣା ବଖାଣିଥିଲେ। ସେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦରେ ନଥିଲେ। ସେ ବିରୋଧୀ ଦଳର ନେତା ଭାବେ ନିର୍ବାଚନ ପ୍ରଚାର କରୁଥିଲେ। ଏହି ସମୟରେ ସେ ଏକ ଖୋଲା ଜିପ୍‌ରେ ଯାଉଥିବା ବେଳେ ତାଙ୍କ ଉପରକୁ ପଥର ଓ ଢେଲା ମାଡ଼ ହୋଇଥିଲା।

ସୋନିଆଙ୍କ କହିବା ଅନୁସାରେ, ବିରୋଧୀ ଦଳ ଶାସିତ କିମ୍ବା ବିଜେପି ଶାସିତ ରାଜ୍ୟକୁ ଗସ୍ତ କରିବା ସମୟରେ ରାଜୀବଙ୍କ ସୁରକ୍ଷାକୁ ସେତେଟା ଗୁରୁତ୍ୱ ଦିଆଯାଉନଥିଲା। ଏହି ଘଟଣା ପରେ ପରିବାର ଲୋକଙ୍କ ମନରେ ତାଙ୍କ ସୁରକ୍ଷାକୁ ନେଇ ଭୟ ଆହୁରି ବଢ଼ିଯାଇଥିଲା।

ବାପାଙ୍କ ଶେଷକୃତ୍ୟରେ ଯୋଗଦେବାକୁ ଭାରତ ଆସିବାକୁ ପଡ଼ିପାରେ!

ରାହୁଲ ଗାନ୍ଧୀ ଏହି ଆଲୋଚନାରେ ଆଉ ଏକ ଭାବପ୍ରବଣ ଘଟଣା ମନେ ପକାଇଛନ୍ତି। ସେ କହିଛନ୍ତି, ବାପାଙ୍କ ସୁରକ୍ଷାକୁ ନେଇ ସେ ଏତେ ଚିନ୍ତିତ ଥିଲେ ଯେ ମାଆଙ୍କୁ ସତର୍କ କରାଇଥିଲେ। ଯଦି ତୁରନ୍ତ ସୁରକ୍ଷା ବ୍ୟବସ୍ଥାରେ ସୁଧାର ନହୁଏ, ତେବେ ଖୁବ୍‌ଶୀଘ୍ର ବାପାଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ତାଙ୍କୁ ଭାରତ ଫେରିବାକୁ ପଡ଼ିପାରେ ବୋଲି ସେ କହିଥିଲେ।

ସୁରକ୍ଷା ହଟାଇବା ପଛରେ ଥିଲା ଉଦ୍ଦେଶ୍ୟ: ରାହୁଲ

ରାହୁଲଙ୍କ କହିବା ଅନୁସାରେ, ବାପାଙ୍କ ସୁରକ୍ଷାକୁ ନେଇ ତାଙ୍କର ଆଶଙ୍କା ପୂର୍ବରୁ ମଧ୍ୟ ରହିଥିଲା। ଏହି ପ୍ରସଙ୍ଗରେ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା। ରାଜୀବଙ୍କ ସୁରକ୍ଷା ହଟାଇବା ଏକ ସାଧାରଣ ପ୍ରଶାସନିକ ଭୁଲ୍ ନଥିଲା ବୋଲି ସେ ନିଜ ମତ ରଖିଛନ୍ତି।

ତେବେ ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ଏକ ବ୍ୟକ୍ତିଗତ ଅଭିଯୋଗ। ଏହାକୁ ପ୍ରମାଣିତ ତଥ୍ୟ ଭାବେ ଗ୍ରହଣ କରିବା ପୂର୍ବରୁ ଏ ସମ୍ପର୍କିତ ଐତିହାସିକ ଓ ତଦନ୍ତ ରେକର୍ଡକୁ ମଧ୍ୟ ବିଚାରକୁ ନେବା ଆବଶ୍ୟକ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ