ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ନିଜର ଧମାକାଦାର ବ୍ୟାଟିଂ ପାଇଁ ପରିଚିତ ଟିମ୍ ଇଣ୍ଡିଆର ଷ୍ଟାର୍ କ୍ରିକେଟର ରିଙ୍କୁ ସିଂହ ଏବେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ରିଙ୍କୁ। ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି ଏହି ଭାରତୀୟ କ୍ରିକେଟର। ଆସନ୍ତା ଡିସେମ୍ବର ୪ ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଉଭୟଙ୍କ ବିବାହ ହେବାକୁ ଥିବାବେଳେ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।
ଏହି ବିବାହ ଉତ୍ସବକୁ ନେଇ ରିଙ୍କୁଙ୍କ ପରିବାର ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଏପରିକି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ବିବାହ ପାଇଁ ନିମନ୍ତ୍ରଣ କରାଯାଇଛି। ରିଙ୍କୁଙ୍କ ମାଆ, ଭାଇ ଓ ଭଉଣୀ ଲକ୍ଷ୍ନୌସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ବିବାହ କାର୍ଡ ଦେଇଛନ୍ତି। ଲକ୍ଷ୍ନୌର ରାମାଡା ହୋଟେଲରେ ଏହି ଭବ୍ୟ ବିବାହ ଉତ୍ସବ ଆୟୋଜନ ହେବ। ଏଥିରେ କ୍ରିକେଟ୍ ଜଗତ ସହ ରାଜନୈତିକ କ୍ଷେତ୍ରର ବହୁ ଜଣାଶୁଣା ବ୍ୟକ୍ତି ସାମିଲ ହେବାର ସମ୍ଭାବନା ରହିଛି।
ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିଲା ପ୍ରେମ
ରିଙ୍କୁ ଓ ପ୍ରିୟାଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍ ରୋଚକ। କୋଭିଡ୍ ମହାମାରୀ ସମୟରେ ସୋସିଆଲ ମିଡିଆରେ ପ୍ରିୟାଙ୍କ ଫଟୋ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ରିଙ୍କୁ। ତାଙ୍କ ସହ କଥା ହେବାକୁ ଇଚ୍ଛା ଥିଲେ ମଧ୍ୟ ପ୍ରଥମେ ମେସେଜ୍ କରିବାକୁ ସାହସ କରିପାରି ନଥିଲେ। ପରେ ପ୍ରିୟା ରିଙ୍କୁଙ୍କ ଫଟୋ ଲାଇକ୍ କରିବା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହି ବନ୍ଧୁତା ଧୀରେ ଧୀରେ ପ୍ରେମର ରୂପ ନେଇଥିଲା। ଶେଷରେ ୨୦୨୫ ଜୁନ୍ ୮ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା।
ରିଙ୍କୁଙ୍କ ସଫଳତାରେ ପ୍ରିୟାଙ୍କ ସମର୍ଥନ
କେବଳ ବ୍ୟକ୍ତିଗତ ଜୀବନ ନୁହେଁ, ରିଙ୍କୁଙ୍କ କ୍ରିକେଟ୍ କ୍ୟାରିୟରରେ ମଧ୍ୟ ପ୍ରିୟା ସବୁବେଳେ ତାଙ୍କ ସହ ଛିଡ଼ା ହୋଇଛନ୍ତି। ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରୁଥିବାର ଦୃଶ୍ୟ ମଧ୍ୟ ଅନେକଥର ସାମ୍ନାକୁ ଆସିଛି।
ସେପଟେ କ୍ରିକେଟ୍ କ୍ଷେତ୍ରରେ ମଧ୍ୟ ରିଙ୍କୁଙ୍କ ପାଇଁ ରହିଛି ଆଉ ଏକ ବଡ଼ ଦାୟିତ୍ୱ। ଆଗାମୀ ଏସିସି ରାଇଜିଂ ଷ୍ଟାର୍ସ ଏସିଆ କପ୍ରେ ଭାରତ ‘ଏ’ ଦଳର ଉପଅଧିନାୟକ ଭାବେ ତାଙ୍କୁ ଚୟନ କରାଯାଇଛି। ନଭେମ୍ବର ୧୯ରୁ ୨୯ ତାରିଖ ପର୍ଯ୍ୟନ୍ତ କତାରର ଦୋହାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ।
ପଡ଼ିଆରେ ବଡ଼ ବଡ଼ ଛକା ମାରି ଦର୍ଶକଙ୍କ ହୃଦୟ ଜିତୁଥିବା ରିଙ୍କୁ ଏବେ ବିବାହ ପାଇଁ ଚର୍ଚ୍ଚାରେ। ତାଙ୍କ ଜୀବନର ଏହି ନୂଆ ଇନିଂସକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢ଼ିବାରେ ଲାଗିଛି।

