ନୂଆଦିଲ୍ଲୀ: ସୁନା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। କ୍ରମାଗତ ଭାବେ ହ୍ରାସ ପାଉଛି ସୁନା ଦର। ମାତ୍ର ୪ ଦିନ ମଧ୍ୟରେ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୬,୬୫୦ ଟଙ୍କା କମିଛି। ସେହିପରି ୨୪ କ୍ୟାରେଟ୍ ସୁନା ଦର ମଧ୍ୟ ୭,୨୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି। ସୁନା ସହିତ ରୁପା ଦର ମଧ୍ୟ ତଳମୁହାଁ ହୋଇଛି।
ଶୁକ୍ରବାର ଭୁବନେଶ୍ୱରରେ ସୁନା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦାମ୍ ୨,୨୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ଦାମ୍ ୨,୪୫୦ ଟଙ୍କା ହ୍ରାସ ପାଇଛି। ଏହା ପରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୨୫,୯୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧,୩୭,୩୫୦ ଟଙ୍କାକୁ ଖସିଆସିଛି।
ସେହିପରି ରୁପା ଦରରେ ମଧ୍ୟ ହ୍ରାସ ହୋଇଛି। କିଲୋଗ୍ରାମ ପିଛା ରୁପା ଦାମ୍ ୫,୦୦୦ ଟଙ୍କା କମି ୧,୯୫,୦୦୦ ଟଙ୍କାରେ ପହଞ୍ଚିଛି। ଲଗାତାର ଦର ହ୍ରାସ ଯୋଗୁ ସୁନା ଓ ରୁପା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
ଦର କମିଲା, ତଥାପି ବଢ଼ିଲା ସୁନା କିଣା
ସୁନା ଦର ଉଚ୍ଚସ୍ତରରେ ଥିବା ସମୟରେ ଅନେକ ଗ୍ରାହକ କିଣାକିଣିକୁ ସ୍ଥଗିତ ରଖିଥିଲେ। ହେଲେ ଧନତେରସ ଓ ଦୀପାବଳି ସମୟରେ ଦେଶରେ ସୁନା ଓ ରୁପା କାରବାର ଭଲ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ଗତବର୍ଷ ତୁଳନାରେ ଚଳିତବର୍ଷ ଧନତେରସ ଓ ଦୀପାବଳିରେ ସୁନା କିଣା ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟରେ ଦେଶରେ ପ୍ରାୟ ୮୯ ଟନ୍ ସୁନା ବିକ୍ରି ହୋଇଛି। ଏହାର ଆନୁମାନିକ ମୂଲ୍ୟ ୭୨ ହଜାର କୋଟି ଟଙ୍କା।
କେବଳ ସୁନା ନୁହେଁ, ରୁପା କିଣା ମଧ୍ୟ ବଢ଼ିଛି। ଗତବର୍ଷ ତୁଳନାରେ ରୁପା କ୍ରୟ ପ୍ରାୟ ୧୦ ପ୍ରତିଶତ ବଢ଼ି ୩୦୦ ଟନ୍ରେ ପହଞ୍ଚିଛି। ଏହାର ମୂଲ୍ୟ ପ୍ରାୟ ୫,୪୦୦ କୋଟି ଟଙ୍କା ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
କାହିଁକି କମୁଛି ସୁନା ଦର?
ଇଣ୍ଡିଆନ୍ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ରାଷ୍ଟ୍ରୀୟ ସଚିବ ସୁରେନ୍ଦ୍ର ମେହେଟ୍ଟାଙ୍କ କହିବା ଅନୁସାରେ, ସୁନା ଦର ଲଗାତାର ବଢ଼ୁଥିବାରୁ ଗ୍ରାହକମାନେ କିଣାକିଣି ଟାଳି ଦେଇଥିଲେ। ଏବେ ଦାମ୍ କମିବା ଆରମ୍ଭ ହୋଇଥିବାରୁ ପୁଣି ଗ୍ରାହକଙ୍କ ଆଗ୍ରହ ବଢ଼ିବାର ସମ୍ଭାବନା ରହିଛି।
ସୁନା ଦରରେ ଏହି ହ୍ରାସ ଆଗକୁ ଜାରି ରହିବ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର। ଯଦି ଦର ଆହୁରି କମେ, ତେବେ ସୁନା କିଣିବାକୁ ଚାହୁଁଥିବା ଗ୍ରାହକଙ୍କୁ ଆହୁରି ଆଶ୍ୱସ୍ତି ମିଳିପାରେ।

