ନୂଆଦିଲ୍ଲୀ: ମୃତ୍ୟୁର ତାଣ୍ଡବ ରଚିଲା ସଡ଼କ ଦୁର୍ଘଟଣା। ଟ୍ରାଭେଲର୍ ମିନିବସ୍ ଓ କଣ୍ଟେନର ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହେବାରୁ ଚାଲିଗଲା ୨୩ ଜଣଙ୍କ ଜୀବନ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଆସାମର ଗୋଲାଘାଟ ଜିଲ୍ଲା ଅନ୍ତର୍ଗତ କାଜିରଙ୍ଗା ନିକଟ ରଙ୍ଗାଜାନ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ଟ୍ରାଭେଲର୍ଟି ଯୋରହାଟରୁ ଆସୁଥିଲା। ଏହି ସମୟରେ ଗୌହାଟୀ ପଟୁ ଆସୁଥିବା ଏକ କଣ୍ଟେନର ଟ୍ରକ୍ ସହ ରଙ୍ଗାଜାନ ନିକଟରେ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଟ୍ରାଭେଲର୍ଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିଲା।
ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଅନେକ କଲେଜ ଛାତ୍ରଛାତ୍ରୀ ଯାତ୍ରା କରୁଥିବା ଜଣାପଡ଼ିଛି। ଧକ୍କା ପରେ କିଛି ଯାତ୍ରୀ ଗାଡ଼ି ଭିତରେ ଫସି ରହିଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଓ ଜରୁରୀକାଳୀନ ସେବା ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତମାନଙ୍କୁ କୋହୋରା ମଡେଲ୍ ହସ୍ପିଟାଲକୁ ନିଆଯାଇଥିଲା।
ଏହି ଦୁର୍ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି।
ତେବେ ଦୁର୍ଘଟଣାର କାରଣ ଏବଂ ମୃତାହତଙ୍କ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି।

