ଭୁବନେଶ୍ୱର: ପୁଣି ଓଡ଼ିଶା ଉପକୂଳକୁ ଘାରିଲା ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଧୀରେ ଧୀରେ ଏହା ଘନୀଭୂତ ହୋଇ ଅଧିକ ଶକ୍ତିଶାଳୀ ରୂପ ନେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଏହାକୁ ନେଇ ଓଡ଼ିଶାବାସୀଙ୍କ ମନରେ ଛନକା ପଶିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୧୪ ତାରିଖ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ସଦୃଶ୍ୟ ଲଘୁଚାପର ରୂପ ନେଇପାରେ। ପରେ ୧୫ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ଏହାପରେ ଘୂର୍ଣ୍ଣିବଳୟଟି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଆସନ୍ତା ୧୬ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ ରହିଛି।
ତେବେ ଏହି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପରେ ପ୍ରଭାବ ପକାଇବ କି ନାହିଁ, ତାହାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ଯଦି ବାତ୍ୟା ସୃଷ୍ଟି ହୁଏ, ତେବେ ରାଜ୍ୟର କେଉଁ ଅଞ୍ଚଳ ଅଧିକ ପ୍ରଭାବିତ ହେବ? ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ନା ପବନ ସହ ବର୍ଷାର ଆଶଙ୍କା ରହିବ? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଠିଛି।
ଅନ୍ୟପକ୍ଷରେ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱରର ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।
ତେବେ ସମ୍ଭାବ୍ୟ ବାତ୍ୟାର ଗତିପଥ, ତୀବ୍ରତା ଏବଂ ଓଡ଼ିଶା ଉପରେ ଏହାର ପ୍ରଭାବ କେତେ ରହିବ, ସେନେଇ ପରବର୍ତ୍ତୀ ପାଣିପାଗ ଅପଡେଟ୍ ଉପରେ ନଜର ରହିଛି।

