କଟକ, ୨୫/୦୮: ଅଦାଲତଙ୍କ ନିର୍ଦ୍ଦେଶ ଅନୁପାଳନ ନକରିବା ଅଭିଯୋଗରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ତାଙ୍କୁ ପୂର୍ବରୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ କୋର୍ଟ ହଟାଇ ଦେଇଛନ୍ତି। ଏଥିସହ ତାଙ୍କୁ ନିମ୍ନ ଅଦାଲତରେ ହାଜର କରାଇବା ପାଇଁ ଆବଶ୍ୟକ ଦୃଢ଼ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।
ସୌରିନଙ୍କ ବିରୋଧରେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ସହ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଭଳି ଅଭିଯୋଗ ରହିଛି। ଏନେଇ କଟକ ମହିଳା ଥାନାରେ ମାମଲା ରୁଜୁ ପରେ ସୌରିନ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ।
ତେବେ ଏହାପରେ ତଦନ୍ତରେ ସହଯୋଗ କରିବାକୁ ସୌରିନ ମହିଳା ଥାନାରେ ହାଜର ହୋଇନଥିଲେ। ପୋଲିସ ତାଙ୍କୁ ଖୋଜି ନପାଇବାରୁ ପୈତୃକ ଘରେ ଲଟକା ଜାରି କରାଯାଇଥିଲା। ପରେ କ୍ରାଇମବ୍ରାଞ୍ଚ ସହାୟତାରେ ରେଡ୍ କର୍ଣ୍ଣର ନୋଟିସ ମଧ୍ୟ ଜାରି ହୋଇଥିଲା।
୨୦୨୩ରେ ସୌରିନଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (NBW) ଜାରି ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସେ ପୁଣି ହାଇକୋର୍ଟ ଯାଇଥିଲେ। କୋର୍ଟ NBW ଉପରେ ରହିତାଦେଶ ଜାରି କରିବା ସହ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ସୌରିନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଗତ ୨୦ ତାରିଖରେ ଆତ୍ମସମର୍ପଣ କରିବାର ନିର୍ଦ୍ଦେଶ ଥିଲେ ମଧ୍ୟ ସୌରିନ ହାଜର ହୋଇନଥିଲେ। ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇ NBW ଉପରେ ଥିବା ରହିତାଦେଶ ହଟାଇ ଦେଇଛନ୍ତି। ଏଥିସହ ସୌରିନ ଭଟ୍ଟଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

