ଭୁବନେଶ୍ୱର, ୦୫/୧୦: ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ନୂତନ ଅବକାରୀ ନୀତି ଅନୁସାରେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଆଉ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏଥିସହ ଚୋରା ଓ ବିଷାକ୍ତ ମଦ କାରବାର ରୋକିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି।
ରବିବାର ରେଳ ଅଡିଟୋରିୟମରେ କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ‘ଜୀବନ ଜିନ୍ଦାବାଦ-୨.୦’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଶା ବିରୋଧୀ ଅଭିଯାନକୁ ନେଇ ଏଭଳି ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ତମାଖୁ ଓ ନିକୋଟିନଯୁକ୍ତ ପାନ ମସଲା ଏବଂ ଗୁଟଖାର ଉତ୍ପାଦନ ଓ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଏଥିସହ ସ୍କୁଲ ଓ କଲେଜ କ୍ୟାମ୍ପସକୁ ‘ନିଶା ନିଷିଦ୍ଧ’ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।
ସେ କହିଛନ୍ତି ଯେ ନିଶା କେବଳ ଜଣେ ବ୍ୟକ୍ତିଙ୍କ ଜୀବନକୁ ନଷ୍ଟ କରେନାହିଁ, ବରଂ ସମଗ୍ର ପରିବାର ଓ ସମାଜକୁ ପ୍ରଭାବିତ କରେ। ତେଣୁ ଯୁବପିଢ଼ି ନିଶାଠାରୁ ଦୂରେଇ ରହିବା ସହ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟ ପ୍ରତି ଆକୃଷ୍ଟ ହେବା ଆବଶ୍ୟକ।
ଗତବର୍ଷ ଆରମ୍ଭ ହୋଇଥିବା ‘ଜୀବନ ଜିନ୍ଦାବାଦ’ ଅଭିଯାନ ଆତ୍ମହତ୍ୟା ପ୍ରବୃତ୍ତି ରୋକିବାରେ ସଫଳତା ପାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏବେ ‘ଜୀବନ ଜିନ୍ଦାବାଦ-୨.୦’ ମାଧ୍ୟମରେ ଯୁବବର୍ଗଙ୍କୁ ନିଶାଠାରୁ ଦୂରେଇ ରଖିବା ସହ ସକାରାତ୍ମକ ଦିଗରେ ଆଗେଇ ନେବାକୁ ବ୍ୟାପକ ପ୍ରୟାସ କରାଯାଉଛି।
ଏହି ଅବସରରେ କମିଶନରେଟ୍ ପୁଲିସ ପକ୍ଷରୁ ‘ନିଶାମୁକ୍ତ ଭାରତ’ ସମ୍ବନ୍ଧୀୟ ଏକ ୱେବସାଇଟ୍ର ଶୁଭାରମ୍ଭ ମଧ୍ୟ କରାଯାଇଥିଲା।
ନିଶା ଓ ଅପରାଧକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ସାମ୍ପ୍ରତିକ ସମୟରେ ଅଧିକାଂଶ ଜଘନ୍ୟ ଅପରାଧ ଓ ମହିଳା ହିଂସା ପଛରେ ନିଶା ସେବନ ଏକ ପ୍ରମୁଖ କାରଣ ପାଲଟିଥିବା ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ଦେଶରେ ପ୍ରତିବର୍ଷ କେବଳ ମଦ୍ୟପାନ କାରଣରୁ ପ୍ରାୟ ୨ ଲକ୍ଷ ୬୦ ହଜାରରୁ ୨ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ହେଉଛି। ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ମୃତ୍ୟୁ ଘଟଣାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି।
‘ଜୀବନ ଜିନ୍ଦାବାଦ-୨.୦’ ମାଧ୍ୟମରେ ରାଜ୍ୟରୁ ନିଶାକୁ ମୂଳପୋଛ କରିବା ସହ ଯୁବପିଢ଼ିଙ୍କୁ ଏକ ସୁସ୍ଥ ଓ ସକାରାତ୍ମକ ଜୀବନ ଆଡ଼କୁ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

