ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ସାମୁଦ୍ରିକ ଝଡ଼। ଧୀରେ ଧୀରେ ଶକ୍ତିଶାଳୀ ହେଉଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ଆଗାମୀ ଦିନରେ ଏହା ବାତ୍ୟାର ରୂପ ନେବା ସହ ଭୀଷଣରୁ ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)। ବାତ୍ୟାର ନାମ ‘ଅକ୍ଭାନ୍’ ରଖାଯିବ। ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ବିଶେଷ କରି ୧୯ରୁ ୨୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗଭୀର ଅବପାତଟି ଘଣ୍ଟାପ୍ରତି ପ୍ରାୟ ୭ କିମି ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ବର୍ତ୍ତମାନ ଏହା ଗୋପାଳପୁରଠାରୁ ପ୍ରାୟ ୧୦୩୦ କିମି ଦୂରରେ ରହିଛି। ସେହିପରି ଚେନ୍ନାଇଠାରୁ ୭୮୦ କିମି ଏବଂ ବିଶାଖାପାଟଣାଠାରୁ ୯୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆଗକୁ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଶକ୍ତିଶାଳୀ ହେବ।
ଆକଳନ ଅନୁସାରେ, ସୋମବାର ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବା ସହ ଝଟକା ପବନ ୯୫ କିମି ଛୁଇଁପାରେ। ପରେ ୧୭ ତାରିଖରେ ଏହା ଭୀଷଣ ବାତ୍ୟାର ରୂପ ନେବ। ୧୮ ତାରିଖରେ ମଧ୍ୟ ଏହାର ତୀବ୍ରତା ଜାରି ରହିବ। ଏହାପରେ ୧୯ ତାରିଖରେ ଅତିଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି।
ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ରହିପାରେ। ଝଟକା ପବନର ବେଗ ୧୪୫ କିମି ଛୁଇଁବା ଆଶଙ୍କା ରହିଛି। ପରବର୍ତ୍ତୀ ଦୁଇ ଦିନ ଏହା ଆହୁରି ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବ ବୋଲି ଆଇଏମ୍ଡି ଆକଳନ କରିଛି।
ଅନ୍ୟପଟେ ବାତ୍ୟା ଆନ୍ଧ୍ରମୁହାଁ ହୋଇଥିଲେ ମଧ୍ୟ ଓଡ଼ିଶା ପାଇଁ ଚିନ୍ତା ବଢ଼ିଛି। ୧୮ ତାରିଖରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। କିନ୍ତୁ ୧୯ରୁ ୨୧ ତାରିଖ ମଧ୍ୟରେ ବର୍ଷାର ପରିମାଣ ବଢ଼ିବା ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଥିପାଇଁ ରାଜ୍ୟକୁ ୧୯ରୁ ୨୧ ତାରିଖ ଯାଏଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ସେପଟେ ଉପଗ୍ରହ ଚିତ୍ରରେ ଗଭୀର ଅବପାତକୁ ଘେରି ରହିଥିବା ବାଦଲର ଘନତ୍ୱ ବଢ଼ୁଥିବା ଦେଖାଯାଇଛି। ଏହା ସହ ଘୂର୍ଣ୍ଣାୟମାନ ପବନର ବେଗ ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ଅବପାତ କେନ୍ଦ୍ର ନିକଟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହିଥିବା ବେଳେ ଝଟକା ପବନ ୭୦ କିମି ପର୍ଯ୍ୟନ୍ତ ପହଞ୍ଚୁଛି। ଏହି ପରିବର୍ତ୍ତନ ବାତ୍ୟାର ଘନୀଭୂତ ହେବା ପ୍ରକ୍ରିୟାକୁ ଆହୁରି ସଙ୍ଗଠିତ କରୁଛି।

