କମାଲ କଲେ ବୈଭବ ସୂର୍ଯ୍ୟବଂଶୀ: ମାତ୍ର ୫୨ ବଳରୁ ୨୦୦, ଭାଙ୍ଗିଲେ ସବୁ ରେକର୍ଡ

୫୩ ବଲ୍‌ରେ ୨୦୪ ରନ୍‌! ବୈଭବଙ୍କ ବିସ୍ଫୋରକ ବ୍ୟାଟିଂରେ ଧରାଶାୟୀ ୟୁଏଇ। ମଇଦାନରେ ଚୌକା ଓ ଛକାର ବର୍ଷା କରି ଚର୍ଚ୍ଚାକୁ ଆସିଛନ୍ତି ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ। ମାତ୍ର ୧୬ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିବା ପରେ ତାଙ୍କ ବ୍ୟାଟ୍‌ରୁ ରନ୍‌ର ବର୍ଷା ଜାରି ରହିଥିଲା। ଏହି ଧୂଆଁଧାର ଇନିଂସ ସହ ଅନେକ ରେକର୍ଡ ଭାଙ୍ଗିଛନ୍ତି ସୂର୍ଯ୍ୟବଂଶୀ।

ମାତ୍ର ୧୬ଟି ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିବା ପାଇଁ ସେ ୮ଟି ଛକା ଓ ଗୋଟିଏ ଚୌକା ମାରିଥିଲେ। ଏହାପରେ ମଧ୍ୟ ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଥମି ନଥିଲା। ପ୍ରଫେସନାଲ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ତାଲିକାରେ ମଧ୍ୟ ନିଜ ନାଁକୁ ଆଗରେ ରଖିଛନ୍ତି ସେ।

ଏହା ପୂର୍ବରୁ ୟୁଏଇ ବିପକ୍ଷରେ ୨୦୨୬ରେ ଦୋହାଠାରେ ଇଣ୍ଡିଆ-ଏ ପକ୍ଷରୁ ଖେଳି ମାତ୍ର ୨୮ଟି ବଲ୍‌ରେ ଶତକ ପୂରଣ କରିଥିଲେ ବୈଭବ। ସେହିପରି ୨୦୨୫ରେ ଏହି ଦଳ ବିପକ୍ଷରେ ୩୨ ବଲ୍‌ରେ ଟି-୨୦ ଶତକ ହାସଲ କରିଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୩୫ ବଲ୍‌ରେ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩୬ ବଲ୍‌ରେ ଶତକ ମାରିଥିଲେ।

ଅନ୍ୟପଟେ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୟୁଏଇ ୫୦ ଓଭରରେ ୨୪୯ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ହରପ୍ରୀତ ସିଂହ ଭାଟିଆ ୧୪୪ ବଲ୍‌ରେ ୧୩୦ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୧୨ଟି ଚୌକା ଓ ୪ଟି ଛକା ସାମିଲ ଥିଲା।

୨୫୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ-ଏ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ବୈଭବଙ୍କ ୨୦୪ ରନ୍‌ର ବିସ୍ଫୋରକ ଇନିଂସ ସହ ରିଙ୍କୁ ସିଂହ ୨୭ ରନ୍ କରି ଅପରାଜିତ ରହିଥିଲେ। ଅନ୍ୟପଟେ ଅଭିଷେକ ଶର୍ମାଙ୍କ ବ୍ୟାଟ୍‌ରୁ ଆଶାନୁରୂପ ରନ୍ ଆସି ନଥିଲା। ସେ ମାତ୍ର ୧୨ ରନ୍ କରିଥିଲେ।

ଏହି ଇନିଂସ ପରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ତାଙ୍କ ବ୍ୟାଟିଂ ଆଗରେ ୟୁଏଇ ବୋଲରଙ୍କ ସବୁ ରଣନୀତି ଫିକା ପଡ଼ିଯାଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ