ବୁଲିଗଲା ବାତ୍ୟା ! ଓଡ଼ିଶା ଆଡ଼େ ମୁହାଇଁବା ସମ୍ଭାବନା, ଭୟରେ ଲୋକେ

ଭୁବନେଶ୍ୱର: ପାଚିଲା ଧାନ ଅମଳ କରିବାକୁ ଅପେକ୍ଷା କରିଛି ଚାଷୀ। ଆଉ ମାତ୍ର କିଛି ଦିନ ପରେ କ୍ଷେତରୁ ଧାନ କାଟିବା ଆରମ୍ଭ ହୋଇଥାନ୍ତା। ହେଲେ ଏହି ସମୟରେ ଚାଷୀଙ୍କ ଚିନ୍ତା ବଢ଼ାଇଛି ସମ୍ଭାବ୍ୟ ବାତ୍ୟା। ସମୁଦ୍ରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଥିବାରୁ ରାଜ୍ୟରେ ପୁଣି ବର୍ଷା ଓ ପବନର ଆଶଙ୍କା ଦେଖାଦେଇଛି। ବାତ୍ୟା ଆସିଲେ ପାଚିଲା ଧାନ ଫସଲ ନଷ୍ଟ ହେବା ଭୟ ଘାରିଛି ଚାଷୀଙ୍କୁ।

ପୂର୍ବରୁ ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ବନ୍ୟା ଓ ଭୂସ୍ଖଳନର କ୍ଷତିରୁ ଲୋକେ ଏଯାଏଁ ସମ୍ପୂର୍ଣ୍ଣ ମୁକୁଳି ନାହାନ୍ତି। ଏଭଳି ସ୍ଥିତିରେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ଚିନ୍ତା ବଢ଼ାଇଛି। ଯଦିଓ ଏହାର ଗତିପଥ ଓ ତୀବ୍ରତା ଏଯାଏଁ ସ୍ପଷ୍ଟ ହୋଇନାହିଁ, ତଥାପି ଅଧିକାଂଶ ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ ବାତ୍ୟାଟି ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇପାରେ। ତେବେ ଏହାର ପ୍ରଭାବରୁ ଓଡ଼ିଶା ସମ୍ପୂର୍ଣ୍ଣ ମୁକ୍ତ ରହିବା ନେଇ ଆଶ୍ୱସ୍ତି ମିଳିନାହିଁ।

ସମୁଦ୍ରରେ ଲଘୁଚାପ, ବାତ୍ୟା ଆଶଙ୍କା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇପାରେ। ନଭେମ୍ବର ୧୫ରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପ୍ରାଥମିକ ଆକଳନ ଅନୁସାରେ, ନଭେମ୍ବର ୧୬ ତାରିଖ ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟାର ନାମ ‘ଅକଭାନ’ ରଖାଯାଇଛି। ଏହା ଇରାନ ପକ୍ଷରୁ ଦିଆଯାଇଥିବା ଏକ ନାମ।

୧୮ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସଦ୍ୟତମ ବୁଲେଟିନ୍‌ ଅନୁସାରେ, ନଭେମ୍ବର ୧୮ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇପାରେ। ପ୍ରଥମ ପର୍ଯ୍ୟାୟରେ ଉତ୍ତର ଉପକୂଳ, ଏହାର ସଂଲଗ୍ନ ଅଞ୍ଚଳ, ଦକ୍ଷିଣ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବା ଆଶଙ୍କା ରହିଛି। ଏଥିସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ସେହିପରି ନଭେମ୍ବର ୧୯ରେ ଗଞ୍ଜାମଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହୋଇପାରେ। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଏହା ପରେ ମଧ୍ୟ ରାଜ୍ୟରେ ବର୍ଷା ଜାରି ରହିବା ସମ୍ଭାବନା ରହିଛି।

ଆନ୍ଧ୍ର ଉପକୂଳକୁ ମାଡ଼ ହୋଇପାରେ ବାତ୍ୟା

ବିଭିନ୍ନ ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ, ସମ୍ଭାବ୍ୟ ବାତ୍ୟାଟି ଆନ୍ଧ୍ର ଉପକୂଳ ଦେଇ ସ୍ଥଳଭାଗକୁ ପ୍ରବେଶ କରିପାରେ। ଯଦି ଏହା ଦକ୍ଷିଣ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍‌ କରେ, ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ତୁଳନାତ୍ମକ ଭାବେ କମ୍‌ ରହିପାରେ। କିନ୍ତୁ ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ଗତି କଲେ ଦକ୍ଷିଣ ଓଡ଼ିଶା ସହ ଉପକୂଳ ଅଞ୍ଚଳରେ ଅଧିକ ପ୍ରଭାବ ପଡ଼ିବା ଆଶଙ୍କା ରହିଛି।

ପାଣିପାଗ ବିଶେଷଜ୍ଞଙ୍କ ମତରେ, ସାଧାରଣତଃ ବାତ୍ୟାର ଲ୍ୟାଣ୍ଡଫଲ୍‌ ସ୍ଥାନର ଡାହାଣ ପାର୍ଶ୍ୱରେ ଅଧିକ ବର୍ଷା ହୋଇଥାଏ। ତେଣୁ ବାତ୍ୟାର ଗତିପଥ ଉପରେ ଓଡ଼ିଶାର ପାଣିପାଗ ନିର୍ଭର କରିବ।

ଖୋଲା ରହିବ ଏସ୍‌ଆର୍‌ସି କାର୍ଯ୍ୟାଳୟ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ଭାବ୍ୟ ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଆସନ୍ତା ଦୁଇଦିନ ଧରି ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ଖୋଲା ରହିବ।

ତେବେ ବାତ୍ୟାର ପ୍ରକୃତ ଗତିପଥ ଓ ତୀବ୍ରତା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏପରି ସ୍ଥିତିରେ ପାଚିଲା ଧାନ ଅମଳକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ଅଳ୍ପ ବର୍ଷା କିମ୍ବା ଜୋର୍‌ ପବନ ମଧ୍ୟ ଫସଲର ବ୍ୟାପକ କ୍ଷତି କରିପାରେ। ତେଣୁ ଏବେ ସମସ୍ତଙ୍କ ନଜର ବାତ୍ୟାର ପରବର୍ତ୍ତୀ ଗତିବିଧି ଉପରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ