ନୂଆଦିଲ୍ଲୀ: ୧୬ ବର୍ଷରୁ କମ୍ ପିଲାଙ୍କୁ ସୋସିଆଲ ମିଡିଆରୁ ଦୂରେଇ ରଖିବା ପାଇଁ ନ୍ୟୁଜିଲ୍ୟାଣ୍ଡ ସରକାର ଏକ ନୂଆ ବିଲ୍ ଆଗତ କରିଛନ୍ତି। ଇନଷ୍ଟାଗ୍ରାମ୍, ଟିକଟକ୍, ଫେସବୁକ୍ ଓ ସ୍ନାପଚାଟ୍ ଭଳି ପ୍ଲାଟଫର୍ମରେ ଛୋଟ ପିଲାଙ୍କ ବ୍ୟବହାର ଉପରେ ନିୟନ୍ତ୍ରଣ ଲଗାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ପ୍ରସ୍ତାବିତ ନିୟମ ଅନୁଯାୟୀ, ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ୧୬ ବର୍ଷରୁ କମ୍ ବୟସର ବ୍ୟବହାରକାରୀଙ୍କୁ ପ୍ଲାଟଫର୍ମରୁ ଦୂରେଇ ରଖିବା ପାଇଁ ବୟସ ଯାଞ୍ଚ ବ୍ୟବସ୍ଥା କରିବେ। ଏଥିପାଇଁ ଫେସିଆଲ୍ ଏଜ୍ ଏଷ୍ଟିମେସନ୍, ଡିଜିଟାଲ୍ ଆଇଡି କିମ୍ବା ସରକାରୀ ପରିଚୟପତ୍ର ବ୍ୟବହାର ହୋଇପାରେ। ନିୟମ ଉଲ୍ଲଂଘନ କଲେ Meta ଭଳି କମ୍ପାନୀଗୁଡ଼ିକୁ ବିଶ୍ୱସ୍ତରୀୟ ରାଜସ୍ୱର ୧୦ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ।
ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ କହିଛନ୍ତି, ୧୩ରୁ ୧୭ ବର୍ଷ ବୟସର ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣେ ଦିନକୁ ଅତିକମରେ ୫ ଘଣ୍ଟା ସୋସିଆଲ ମିଡିଆରେ ବିତାଉଛନ୍ତି। ଏହା ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ, ନିଦ୍ରା ଓ ପାଠପଢ଼ା ଉପରେ ପ୍ରଭାବ ପକାଉଥିବା ସେ କହିଛନ୍ତି।
ତେବେ ବିଲ୍କୁ ନେଇ ରାଜନୈତିକ ମତଭେଦ ଦେଖାଦେଇଛି। ମେଣ୍ଟର ସହଯୋଗୀ ଦଳ ACT ଓ NZ First ଏହାକୁ ବିରୋଧ କରୁଛନ୍ତି। ବିରୋଧୀ ଲେବର ପାର୍ଟି ମଧ୍ୟ ବୟସ ଯାଞ୍ଚ ଓ ନିୟମାବଳୀ ନେଇ ଅଧିକ ସ୍ପଷ୍ଟତା ଚାହିଁଛି। ଅଷ୍ଟ୍ରେଲିଆ ପରେ ନ୍ୟୁଜିଲ୍ୟାଣ୍ଡର ଏହି ପଦକ୍ଷେପ ବିଶ୍ୱସ୍ତରରେ ଶିଶୁଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ ଚାଲିଥିବା ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।

