ନୂଆଦିଲ୍ଲୀ, ୧୯/୦୮: ରାଜନୀତିରେ ପୁଣି ଥରେ ବଡ଼ ଦାୟିତ୍ୱ ପାଇଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ। ବିଜେପି ସଭାପତି ନୀତିନ ନବୀନ ନୂଆ କାର୍ଯ୍ୟକାରିଣୀ କମିଟି ଘୋଷଣା କରିଥିବା ବେଳେ ଏଥିରେ ସ୍ମୃତିଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ରାଜ୍ୟରେ ଆହୁରି ମଜବୁତ କରିବାର ଦାୟିତ୍ୱ ଏବେ ସ୍ମୃତିଙ୍କ ଉପରେ ରହିଛି।
୨୦୨୪ ଲୋକସଭା ନିର୍ବାଚନରେ ଆମେଠିରୁ ପରାଜୟ ପରେ ସ୍ମୃତି କେନ୍ଦ୍ର କ୍ୟାବିନେଟରୁ ବାହାରିଥିଲେ ମଧ୍ୟ ରାଜନୀତିରୁ ଦୂରେଇ ଯାଇନଥିଲେ। ଏବେ ନୂଆ ଦାୟିତ୍ୱ ମିଳିବା ପରେ ତାଙ୍କ ରାଜନୈତିକ କ୍ୟାରିଅର ପୁଣି ଥରେ ଚର୍ଚ୍ଚାରେ ଆସିଛି।ଅନ୍ୟପଟେ ଦୀର୍ଘ ବର୍ଷ ପରେ ଟେଲିଭିଜନରେ ଫେରିଥିବା ସ୍ମୃତି ଇରାନୀ ‘କ୍ୟୁଙ୍କି ସାସ ଭି କଭି ବହୁ ଥି ୨’ରେ ପୁଣି ଥରେ ତୁଳସୀ ବିରାନୀ ଭୂମିକାରେ ନଜର ଆସିଥିଲେ। ଧାରାବାହିକଟି ଦର୍ଶକଙ୍କ ମଧ୍ୟରେ ଭଲ ଲୋକପ୍ରିୟତା ହାସଲ କରିଥିବା ବେଳେ ତୁଳସୀ-ମିହିରଙ୍କ କାହାଣୀ ପୁଣି ଥରେ ପୁରୁଣା ସ୍ମୃତିକୁ ତାଜା କରିଥିଲା। ଶୋ’ଟି ଅନେକ ସମୟରେ ଟପ୍-୫ ଧାରାବାହିକ ମଧ୍ୟରେ ରହିଥିବା ଦାବି କରାଯାଇଛି।ତେବେ ଏବେ ପ୍ରଶ୍ନ ଉଠୁଛି—ରାଜନୀତିରେ ନୂଆ ଦାୟିତ୍ୱ ମିଳିବା ପରେ ସ୍ମୃତି ଇରାନୀ ପୁଣି ଥରେ ଅଭିନୟରୁ ଦୂରେଇଯିବେ କି?
ଏନେଇ ଏପର୍ଯ୍ୟନ୍ତ ସ୍ମୃତି କିମ୍ବା ଶୋ’ର ନିର୍ମାତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ।ସ୍ମୃତିଙ୍କ ଅଭିନୟ ଓ ରାଜନୀତିର ସମ୍ପର୍କ ବହୁ ପୁରୁଣା। ୨୦୦୩ରେ ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ରେ ତୁଳସୀ ଭୂମିକାରେ ଲୋକପ୍ରିୟତା ପାଇବା ସହ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୦୪ରେ ଚାନ୍ଦନୀ ଚୌକରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ, ହେଲେ ବିଜୟୀ ହୋଇପାରିନଥିଲେ। ଏହା ସତ୍ତ୍ୱେ କିଛି ସମୟ ପର୍ଯ୍ୟନ୍ତ ସେ ଅଭିନୟ ସହ ରାଜନୀତିକୁ ମଧ୍ୟ ସମାନ ଭାବେ ଜାରି ରଖିଥିଲେ।୨୦୦୭ରେ ସେ ‘କ୍ୟୁଙ୍କି’ରୁ ବ୍ରେକ୍ ନେଇଥିଲେ ଏବଂ ପରେ ୨୦୦୮ରେ ଅଭିନୟକୁ ବିଦାୟ ଦେଇ ସମ୍ପୂର୍ଣ୍ଣ ଭାବେ ରାଜନୀତିରେ ମନୋନିବେଶ କରିଥିଲେ। ସେହି ବର୍ଷ ଧାରାବାହିକଟି ମଧ୍ୟ ପ୍ରସାରଣ ବନ୍ଦ କରିଥିଲା।ଏହାପରେ ୨୦୧୪ରେ ‘କ୍ୟୁଙ୍କି’ର ଦ୍ୱିତୀୟ ଭାଗ ନେଇ ଚର୍ଚ୍ଚା ହୋଇଥିଲା। ନିର୍ମାତାମାନେ ସ୍ମୃତିଙ୍କ ସହ ଯୋଗାଯୋଗ ମଧ୍ୟ କରିଥିଲେ। କିନ୍ତୁ ସେହି ସମୟରେ ସ୍ମୃତି କେନ୍ଦ୍ରରେ ମନ୍ତ୍ରୀ ହେବାକୁ ଯାଉଥିବାରୁ ଶୋ’ରେ ଫେରିବା ସମ୍ଭବ ହୋଇନଥିଲା।
ରାଜନୀତିରେ ତାଙ୍କ ବ୍ୟସ୍ତତା ବଢ଼ିବା ସହ ଅଭିନୟ ପଛକୁ ଚାଲିଯାଇଥିଲା।୨୦୧୪ରେ ଆମେଠିରୁ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଲଢ଼ି ପରାଜିତ ହୋଇଥିବା ସ୍ମୃତି ପରବର୍ତ୍ତୀ ୨୦୧୯ ନିର୍ବାଚନରେ ସେହି ଆସନରୁ ରାହୁଲଙ୍କୁ ହରାଇ ବଡ଼ ରାଜନୈତିକ ବିଜୟ ହାସଲ କରିଥିଲେ। ଏହାପରେ ସେ ଜାତୀୟ ରାଜନୀତିରେ ଆହୁରି ପ୍ରଭାବଶାଳୀ ଚେହେରା ଭାବେ ଉଭା ହୋଇଥିଲେ।ଏବେ ୨୦୨୭ ଉତ୍ତରପ୍ରଦେଶ ନିର୍ବାଚନକୁ ନଜରରେ ରଖି ସ୍ମୃତିଙ୍କୁ ମିଳିଥିବା ନୂଆ ଦାୟିତ୍ୱ ଦଳ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ତେବେ ଏହି ରାଜନୈତିକ ଭୂମିକା ଯୋଗୁଁ ‘କ୍ୟୁଙ୍କି ସାସ ଭି କଭି ବହୁ ଥି ୨’ରେ ତୁଳସୀଙ୍କ ଯାତ୍ରା ଅଟକିବ କି ନାହିଁ, ଏବେ ସେନେଇ ଦର୍ଶକଙ୍କ ମଧ୍ୟରେ କୌତୂହଳ ବଢ଼ିଛି। ଶୋ’ ବନ୍ଦ ହେବା ନେଇ ପୂର୍ବରୁ ଅନେକ ଥର ଚର୍ଚ୍ଚା ହୋଇଥିଲେ ମଧ୍ୟ ନିର୍ମାତାମାନେ ଏହାକୁ ଖଣ୍ଡନ କରିଆସିଛନ୍ତି। ଏବେ ସ୍ମୃତିଙ୍କ ରାଜନୈତିକ କମବ୍ୟାକ ପରେ ନିର୍ମାତାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତା’ ଉପରେ ନଜର ରହିଛି।

