ଭୁବନେଶ୍ୱର, ୧୬/୧୦: ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀ ଅଭିରାମ ମିଶ୍ର ବାଜିମାତ୍ କରିଛନ୍ତି। ସେ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ, ଉପସଭାପତି ପଦ ଏନଏସୟୁଆଇ ସମର୍ଥିତ ପ୍ରାର୍ଥୀ ପପୁ ରାଉତଙ୍କ ଖାତାକୁ ଯାଇଛି।
ନିର୍ବାଚନରେ ଏବିଭିପିର ଆୟୁଶ୍ରୀ ପ୍ରଧାନ ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଥିବା ବେଳେ ବିସିଜେଡି ସମର୍ଥିତ ପ୍ରାର୍ଥୀ ଜ୍ୟୋତିଶ୍ରୀ ସାହୁ ଯୁଗ୍ମ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ସେହିପରି କଲଚରାଲ୍ କ୍ଲବ୍ ସମ୍ପାଦକ ଭାବେ ଉତ୍ତମ କୁମାର ମାଝୀ ଏବଂ ବାଣୀବିକାଶ ସମ୍ପାଦକ ଭାବେ ଜୀବନଜ୍ୟୋତି ବିଶ୍ୱାଳ ବିଜୟୀ ହୋଇଛନ୍ତି।
ଆଥଲେଟିକ୍ କ୍ଲବ୍ ସମ୍ପାଦକ ପଦରେ ଏବିଭିପିର ଜ୍ଞାନରଞ୍ଜନ ପରିଡ଼ା ନିର୍ବାଚିତ ହୋଇଥିବା ବେଳେ ସହକାରୀ ସମ୍ପାଦକ ଭାବେ ସୁସ୍ମିତା ସାହୁ ବିଜୟୀ ହୋଇଛନ୍ତି।
ମତଦାନ ଶାନ୍ତିପୂର୍ଣ୍ଣ, ଗଣତିରେ ବିଳମ୍ବକୁ ନେଇ ଅସନ୍ତୋଷ
ଗୁରୁବାର ସକାଳ ୮ଟାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ମତଦାନ ଆରମ୍ଭ ହୋଇଥିଲା। ଅପରାହ୍ନ ୨ଟାରେ ମତଦାନ ଶେଷ ହୋଇଥିଲା। ମୋଟ ୨,୬୦୯ ଜଣ ଛାତ୍ରଛାତ୍ରୀ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଏହା ସହିତ ମୋଟ ମତଦାନ ହାର ୬୮.୬୯ ପ୍ରତିଶତ ରହିଥିଲା।
ମତଦାନ ଶେଷ ହେବା ପରେ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରରୁ ଭୋଟବାକ୍ସଗୁଡ଼ିକୁ ବାଣିଜ୍ୟ ବିଭାଗରେ ଥିବା ଷ୍ଟ୍ରଙ୍ଗ୍ରୁମ୍କୁ ଅଣାଯାଇଥିଲା। ଅପରାହ୍ନ ୩ଟା ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହୋଇଥିଲା। ତେବେ ମତଦାନ ଶେଷ ହେବା ପରେ ତୁରନ୍ତ ଗଣତି ଆରମ୍ଭ ହେବା କଥା ବୋଲି ଦାବି କରିଥିଲେ ପ୍ରାର୍ଥୀମାନେ।
କିନ୍ତୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗଣତି ଆରମ୍ଭ ହୋଇନଥିଲା। ଶେଷରେ ସନ୍ଧ୍ୟା ସାଢ଼େ ୬ଟାରେ ଗଣତି ଆରମ୍ଭ ହୋଇଥିଲା। ଫଳାଫଳ ଘୋଷଣାରେ ବିଳମ୍ବକୁ ନେଇ ଏନଏସୟୁଆଇ ତଥା ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀମାନେ ରାସ୍ତାରେ ବସି ପ୍ରତିବାଦ କରିଥିଲେ।
ପୂର୍ବଦିନର ବୈଠକକୁ ନେଇ ଉତ୍ତେଜନା
ଏହା ପୂର୍ବରୁ ବୁଧବାର ବିଶ୍ୱବିଦ୍ୟାଳୟରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି?’ ବୈଠକ ଆୟୋଜିତ ହୋଇଥିଲା। ବୈଠକ ଆରମ୍ଭ ପୂର୍ବରୁ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଏପରିକି ଗଣ୍ଡଗୋଳରେ କିଛି ଛାତ୍ର ଆହତ ହୋଇଥିବା ଏବଂ ଚେୟାର ଫିଙ୍ଗାଫୋପଡ଼ା ହୋଇଥିବା ଖବର ମିଳିଥିଲା।
ତେବେ ଗୁରୁବାର ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା। ଏବେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ନୂଆ ନେତୃତ୍ୱ ସ୍ପଷ୍ଟ ହୋଇଛି।

