ଓଡ଼ିଶା ଉପକୂଳକୁ ବାତ୍ୟା ଭୟ! ୨୭ ତାରିଖ ରାତିରେ ମାଡ଼ ହେବା ଆଶଙ୍କା

ଭୁବନେଶ୍ୱର, ୨୨/୧୦: ଓଡ଼ିଶା ଉପକୂଳକୁ ଘାରିଲା ସମ୍ଭାବ୍ୟ ବାତ୍ୟାର ଭୟ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ଆଗାମୀ ଦିନରେ ଏହା ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ ବୋଲି କିଛି ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଆକଳନ କରିଛନ୍ତି। ଏହାର ପ୍ରଭାବରେ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳ ପ୍ରଭାବିତ ହେବାର ଆଶଙ୍କା ରହିଛି।

ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଆସନ୍ତା ୨୭ ତାରିଖ ରାତି କିମ୍ବା ୨୮ ତାରିଖରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ମୁହାଁ ହୋଇପାରେ। ଯଦି ଏହା ବାତ୍ୟାର ରୂପ ନିଏ, ତେବେ ଏହାର ନାମ ‘ଅର୍ଣ୍ଣବ’ ରହିବ ବୋଲି କୁହାଯାଉଛି। ତେବେ ବାତ୍ୟାର ତୀବ୍ରତା, ଗତିପଥ ଓ ସ୍ଥଳଭାଗରେ ପ୍ରବେଶ ସମୟ ସମ୍ପର୍କରେ ଏବେଠାରୁ ନିଶ୍ଚିତ ଭାବେ କିଛି କହିବା ସମ୍ଭବ ନୁହେଁ।

ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଥାଇଲାଣ୍ଡ ଓ ମିଆଁମାର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅକ୍ଟୋବର ୨୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇପାରେ।

ପରବର୍ତ୍ତୀ ସମୟରେ ଏହାର ଗତିପଥ ଓ ଘନୀଭୂତ ହେବାର ପ୍ରକ୍ରିୟା ଉପରେ ନଜର ରହିବ। ତେବେ ବାତ୍ୟା ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ ଏପର୍ଯ୍ୟନ୍ତ ନିଶ୍ଚିତ ପୂର୍ବାନୁମାନ ଜାରି ହୋଇନାହିଁ।

୨୭ ତାରିଖରେ ଓଡ଼ିଶା ଉପକୂଳକୁ ମାଡ଼ ହେବ କି?

ବିଦେଶୀ ପାଣିପାଗ ମଡେଲ୍ ଜିଏଫଏସ୍‌ (GFS) ଓ ଇସିଏମଡବ୍ଲ୍ୟୁଏଫ୍‌ (ECMWF)ର ପ୍ରାରମ୍ଭିକ ଆକଳନରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। କେତେକ ଆକଳନରେ ଅକ୍ଟୋବର ୨୭ ତାରିଖ ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ଦର୍ଶାଯାଇଛି।

ବିଶେଷ କରି ପୁରୀରୁ ଗଞ୍ଜାମ ଉପକୂଳ ମଧ୍ୟବର୍ତ୍ତୀ ଅଞ୍ଚଳ ସମ୍ଭାବ୍ୟ ପ୍ରଭାବିତ କ୍ଷେତ୍ର ହୋଇପାରେ ବୋଲି କିଛି ମଡେଲ୍‌ର ଆକଳନ ରହିଛି। ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟ ସମ୍ଭାବ୍ୟ ଗତିପଥରେ ରହିପାରେ। ଆଗାମୀ ଦିନରେ ମଡେଲ୍‌ଗୁଡ଼ିକର ଆକଳନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ଭୀଷଣ ରୂପ ନେବାର ଆଶଙ୍କା

କେତେକ ବିଦେଶୀ ପାଣିପାଗ ମଡେଲ୍‌ରେ ସମ୍ଭାବ୍ୟ ବାତ୍ୟା ଅଧିକ ଶକ୍ତିଶାଳୀ ହେବାର ଆକଳନ କରାଯାଇଛି। ଏହା ଭୀଷଣ କିମ୍ବା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ମଧ୍ୟ କିଛି ପ୍ରାରମ୍ଭିକ ଚିତ୍ରରୁ ସଙ୍କେତ ମିଳୁଛି। ତେବେ ଏହି ଆକଳନକୁ ଏବେଠାରୁ ଚୂଡ଼ାନ୍ତ ବୋଲି ଧରିନେବା ଠିକ୍ ହେବ ନାହିଁ।

ପାଣିପାଗ ବିଜ୍ଞାନ ଅନୁଯାୟୀ, ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ତୀବ୍ରତା, ସମୁଦ୍ରର ତାପମାତ୍ରା, ପବନର ଗତି ଓ ଦିଗ ଉପରେ ବାତ୍ୟାର ଶକ୍ତି ନିର୍ଭର କରିଥାଏ।

ଏବେ ପାଗ ଶୁଖିଲା, ୨୬ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ। ତେବେ ଅକ୍ଟୋବର ୨୬ ତାରିଖଠାରୁ କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ସମସ୍ତଙ୍କ ନଜର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଉପରେ ରହିଛି। ଏହା କେତେ ଶକ୍ତିଶାଳୀ ହେଉଛି ଏବଂ କେଉଁ ଦିଗକୁ ଗତି କରୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ତେଣୁ ବାତ୍ୟା ସମ୍ପର୍କିତ ଗୁଜବରେ ବିଶ୍ୱାସ ନକରି ଆଇଏମଡିର ସରକାରୀ ପାଣିପାଗ ବୁଲେଟିନ୍‌କୁ ଅନୁସରଣ କରିବା ଜରୁରୀ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ