ଭୁବନେଶ୍ୱର, ୧୬/୧୦: ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶାରେ ପୁଣି ବର୍ଷା ହୋଇପାରେ। ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ବିସ୍ତାରିତ ପାଣିପାଗ ଆକଳନରେ ଏଭଳି ସମ୍ଭାବନା ପ୍ରକାଶ ପାଇଛି।
୨୨ରୁ ୨୮ ମଧ୍ୟରେ ବର୍ଷା ସମ୍ଭାବନା
ଆଇଏମଡିର ଆକଳନ ଅନୁଯାୟୀ, ଅକ୍ଟୋବର ୨୨ରୁ ୨୮ ତାରିଖ ମଧ୍ୟରେ ଦେଶର ପୂର୍ବ ଉପକୂଳର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇପାରେ। ଏହି ସମୟରେ ଓଡ଼ିଶାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି। ତେବେ ପୂର୍ବ ଭାରତରେ ସାମଗ୍ରିକ ଭାବେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି।
୨୧ ଯାଏଁ ବର୍ଷା ନେଇ ଆଶ୍ୱସ୍ତି
ଅନ୍ୟପକ୍ଷରେ, ଅକ୍ଟୋବର ୧୫ରୁ ୨୧ ତାରିଖ ମଧ୍ୟରେ ଓଡ଼ିଶାରେ ବର୍ଷା ନେଇ ବିଶେଷ ସମ୍ଭାବନା ନାହିଁ ବୋଲି ଆଇଏମଡିର ଆକଳନରୁ ଜଣାପଡ଼ିଛି। ଏହି ସମୟରେ ଦେଶର ଅନେକ ଅଞ୍ଚଳରେ ମଧ୍ୟ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ।
ତେବେ ମାସର ଶେଷ ସପ୍ତାହରେ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ଉପକୂଳ ଓଡ଼ିଶାରେ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ହୋଇପାରେ। ଲଘୁଚାପର ଗତିପଥ ଓ ଏହାର ପ୍ରଭାବ ସମ୍ପର୍କରେ ପରବର୍ତ୍ତୀ ପାଣିପାଗ ଆକଳନରୁ ଅଧିକ ସ୍ପଷ୍ଟ ସୂଚନା ମିଳିବ।

