ଆଜି ମା’ଙ୍କ ଭସାଣି: ରାଜଧାନୀରେ ୪୮ ପ୍ଲାଟୁନ୍ ପୁଲିସ ମୁତୟନ, ଡିଜେ ଉପରେ କଟକଣା

ବନେଶ୍ୱର, ୨୨/୧୦: ବିଜୟା ଦଶମୀ ସହ ଶେଷ ହୋଇଛି ମା’ ଜଗତଜନନୀଙ୍କ ପୂଜା। ଗୁରୁବାର ମା’ଙ୍କୁ ମେଲାଣି ଦେବେ ଭକ୍ତ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଭସାଣି ଉତ୍ସବକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ଶାନ୍ତିଶୃଙ୍ଖଳାର ସହ ଉତ୍ସବ ସମ୍ପନ୍ନ କରିବାକୁ ପୁଲିସ ଓ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଭସାଣି ଉତ୍ସବରେ ସୁରକ୍ଷା ଦାୟିତ୍ୱରେ ୪୮ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୧୦୦ ଜଣ ଅଧିକାରୀ ନିୟୋଜିତ ହେବେ। ଅନ୍ୟପଟେ ଭସାଣି ଶୋଭାଯାତ୍ରାରେ ଡିଜେ ବଜାଇବା ଉପରେ କଟକଣା ଲଗାଯାଇଛି। ନିୟମ ଉଲ୍ଲଂଘନ କରି ଡିଜେ ବଜାଇଲେ ତାହାକୁ ଜବତ କରାଯିବା ସହ ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହେବ ବୋଲି ଡିସିପି ଶ୍ରବଣ ଏମ୍. ବିବେକ୍ ସୂଚନା ଦେଇଛନ୍ତି।

ଅପରାହ୍ଣ ୨ଟାରୁ ଭସାଣି ଶୋଭାଯାତ୍ରା

ଗୁରୁବାର ଅପରାହ୍ଣ ୨ଟାରୁ ଭସାଣି ଉତ୍ସବ ଆରମ୍ଭ ହେବ। ନୂଆପଲ୍ଲୀ ଅଞ୍ଚଳର ୨୦ଟି ପୂଜା କମିଟିର ମେଢ଼ ଏଥିରେ ସାମିଲ ହେବାକୁ ଥିବାବେଳେ ସହିଦନଗରର ୨୪ଟି ମେଢ଼ ମଧ୍ୟ ଶୋଭାଯାତ୍ରାରେ ଯୋଗଦେବେ।

ନୂଆପଲ୍ଲୀର ମେଢ଼ଗୁଡ଼ିକ ନୂଆପଲ୍ଲୀ ଛକରୁ ବାହାରି ସିଆରପି ଛକ, ଡିଏଭି ଛକରୁ ଡାହାଣକୁ ମୋଡ଼ ନେଇ ଗୋପବନ୍ଧୁ ଛକ ଓ ସିରିପୁର ଦେଇ ଏୟାରପୋର୍ଟ ଛକରେ ପହଞ୍ଚିବେ।

ଏହି ସମୟରେ ସିଆରପି ଛକ ପଟୁ ଜୟଦେବ ବିହାର ଆଡ଼କୁ ଯିବାକୁ ଥିବା ଗାଡ଼ିଗୁଡ଼ିକୁ ଏକାମ୍ର ପାର୍କ ରାସ୍ତା ଦେଇ ଯିବାକୁ ପଡ଼ିବ।

ସହିଦନଗର ମେଢ଼ ପାଇଁ ଟ୍ରାଫିକ୍ କଟକଣା

ସହିଦନଗର ଭସାଣି କମିଟିର ମେଢ଼ଗୁଡ଼ିକ ସହିଦନଗରରୁ ବାହାରି ରାମମନ୍ଦିର ଓ ମାଷ୍ଟରକ୍ୟାଣ୍ଟିନ ଦେଇ ରାଜମହଲ ଛକ ପର୍ଯ୍ୟନ୍ତ ଯିବେ। ଶୋଭାଯାତ୍ରା ଚାଲିଥିବା ସମୟରେ ଯାନବାହନଗୁଡ଼ିକ ସଚିବାଳୟ ମାର୍ଗ ଓ ଏହାର ସଂଲଗ୍ନ ରାସ୍ତା ଦେଇ ଯାତାୟାତ କରିବେ।

ସେହିପରି ଉତ୍ତର ଭୁବନେଶ୍ୱରର ଦୁଇଟି ଭସାଣି କମିଟିର ମେଢ଼ଗୁଡ଼ିକ କ୍ଲବ୍ ଟାଉନ୍ ଆପାର୍ଟମେଣ୍ଟ ପଡ଼ିଆ ଓ ଡମଣା ପଡ଼ିଆରେ ଏକାଠି ହେବା ପରେ ନାଲକୋ ଛକ ଦେଇ ଯିବେ।

ଏହି ଶୋଭାଯାତ୍ରା ଯୋଗୁଁ ନନ୍ଦନକାନନ ଛକ ପଟୁ ଜୟଦେବ ବିହାର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ କିଟ୍ ଛକ କିମ୍ବା କଳାରାହାଙ୍ଗ ଛକରେ ଥିବା ସଂଲଗ୍ନ ରାସ୍ତା ବ୍ୟବହାର କରିବେ।

ଏହି ସମସ୍ତ ଟ୍ରାଫିକ୍ କଟକଣା ଅପରାହ୍ଣ ୨ଟାରୁ ରାତି ୧ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା

ମା’ଙ୍କ ମୂର୍ତ୍ତି ବିସର୍ଜନ ପାଇଁ ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀ ଓ ବିସର୍ଜନ ସ୍ଥଳୀ ପ୍ରସ୍ତୁତ କରାଯାଇଛି। କୁଆଖାଇ ନଦୀ ନିକଟ ପଳାଶୁଣି, ହଂସପାଳ, ବାସୁଆଘାଇ, ଟଙ୍କପାଣି ରୋଡ୍ ଓ ଲିଙ୍ଗିପୁରସ୍ଥିତ ଦୟା ନଦୀ ନିକଟରେ ଏହି ବ୍ୟବସ୍ଥା କରାଯାଇଛି।

ଏହାସହ ସେଞ୍ଚୁରିଆନ୍, ଚନ୍ଦକା ଓ କୁଶଭଦ୍ରା ନଦୀ ଅଞ୍ଚଳରେ ମଧ୍ୟ ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ତିଆରି ହୋଇଛି। ପ୍ରତ୍ୟେକ ବିସର୍ଜନ ସ୍ଥଳୀରେ ଜେସିବି, ଟ୍ରାକ୍ଟର ଓ ସହଯୋଗୀ ଟିମ୍ ମୁତୟନ ରହିବେ।

ତେଣୁ ଭସାଣି ଉତ୍ସବ ସମୟରେ ଟ୍ରାଫିକ୍ ନିୟମ ମାନିବା ସହ ପୁଲିସର ନିର୍ଦ୍ଦେଶ ପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ