ନିଆଁରେ ସବୁ ଛାରଖାର : ପୋଡ଼ି ହୋଇ ୧୨ ମୃତ

ଦୀପାବଳିରେ ଦୁଃଖଦ ଘଟଣା । ଖୁସିର ପର୍ବ ପାଲଟିଗଲା ଶୋକର ଦିନ । ମଧ୍ୟପ୍ରଦେଶର ଦୁଇଟି ଜିଲ୍ଲାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏଥିରେ ଦୁଇଟି ପରିବାରର ୧୨ ଜଣ ସଦସ୍ୟଙ୍କ ଜୀବନ ଚାଲିଯାଇଛି । ସିବନୀ ଓ କଟନୀ ଜିଲ୍ଲାରେ ଘଟିଥିବା ଏହି ଦୁଇଟି ଅଗ୍ନିକାଣ୍ଡରେ ପ୍ରତ୍ୟେକ ପରିବାରର ୬ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଘଟଣା ପରେ ଉଭୟ ଅଞ୍ଚଳରେ ଶୋକର ମାହୋଲ ଖେଳିଯାଇଛି ।

ସୂଚନା ଅନୁସାରେ, ପ୍ରଥମ ଅଗ୍ନିକାଣ୍ଡଟି କଟନୀ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୫୫ କିଲୋମିଟର ଦୂର ବରହି ଗାଁରେ ଘଟିଛି । ଦୀପାବଳି ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ପୁରନ ଅଗ୍ରୱାଲ ଓ ରିତେଶ ଅଗ୍ରୱାଲଙ୍କ ବାଣ ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା । ଦୋକାନ ଉପରେ ଥିବା ତିନି ମହଲା କୋଠାରେ ପରିବାର ସଦସ୍ୟମାନେ ରହୁଥିଲେ ।

କିଛି ସମୟ ମଧ୍ୟରେ ନିଆଁ ପୂରା କୋଠାକୁ ବ୍ୟାପିଯାଇଥିଲା । ସେତେବେଳେ ପରିବାରର ସମସ୍ତ ସଦସ୍ୟ ଶୋଇଥିବାରୁ ବାହାରକୁ ଆସିବାର ସୁଯୋଗ ପାଇନଥିଲେ । ନିଆଁ ଓ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଦୁଇ ଜଣ ବୃଦ୍ଧ, ଜଣେ ମହିଳା ଓ ତିନି ଜଣ ଶିଶୁ ରହିଛନ୍ତି । ତେବେ ଏହି ଅଗ୍ନିକାଣ୍ଡରୁ ଜଣେ ପୁରୁଷ ଓ ଜଣେ ମହିଳା ଖସିଯାଇ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ।

ସେହିପରି ଦ୍ୱିତୀୟ ଅଗ୍ନିକାଣ୍ଡଟି ସିବନୀ ଜିଲ୍ଲାର ଛପାରା ସହରସ୍ଥିତ ମହାବୀର ୱାର୍ଡର ଜୈନ ମୋହଲ୍ଲାରେ ଘଟିଛି । ସୋମବାର ଭୋର ପ୍ରାୟ ୩ଟା ସମୟରେ ସୁନା ବ୍ୟବସାୟୀ କୁନ୍ଦନ ସୋନିଙ୍କ ଘରେ ହଠାତ୍ ନିଆଁ ଲାଗିଥିଲା । ନିଆଁ ଏତେ ଶୀଘ୍ର ବ୍ୟାପିଥିଲା ଯେ ଘରେ ଶୋଇଥିବା ପରିବାର ସଦସ୍ୟମାନେ ବାହାରକୁ ବାହାରିବାକୁ ସମୟ ପାଇନଥିଲେ । ଫଳରେ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଚାଲିଯାଇଥିଲା ।

ଏହି ଦୁଇଟି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର କାରଣ ଖୋଜିବା ସହ ତଦନ୍ତ ଜାରି ରଖିଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ