ନୂଆଦିଲ୍ଲୀ, ୧୦/୧୧ : ପାକିସ୍ତାନରେ ଚାଞ୍ଚଲ୍ୟକର ଘଟଣା। ଘର ଭିତରେ ଜଣେ ଟିଭି ଉପସ୍ଥାପିକାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାୱଲପିଣ୍ଡିରେ ଘଟିଥିବା ଏହି ଘଟଣାରେ ମୃତ ଉପସ୍ଥାପିକା ହେଉଛନ୍ତି ୪୧ ବର୍ଷୀୟା ରବିୟା ଅହସାନ। ତାଙ୍କ ହତ୍ୟା ଅଭିଯୋଗରେ ପୁଲିସ ସ୍ୱାମୀ ଅହସାନ୍ ତାହିରଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ମଧ୍ୟ ଜବତ ହୋଇଛି।
ରାୱଲପିଣ୍ଡିର ସିଟି ପୁଲିସ ଅଧିକାରୀ ହସନ ସୁଖେରାଙ୍କ ସୂଚନା ଅନୁସାରେ, ରବିୟା ଏକ ସ୍ଥାନୀୟ ଟିଭି ଚ୍ୟାନେଲରେ ଉପସ୍ଥାପିକା ଭାବେ କାମ କରୁଥିଲେ। ତାଙ୍କର ୧୩ ଓ ୧୧ ବର୍ଷ ବୟସର ଦୁଇ ଝିଅ ଅଛନ୍ତି। ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଘର ଭିତରେ ତାଙ୍କୁ ଗୁଳି କରାଯାଇଥିଲା। ଗୁଳିମାଡ଼ ବେଳେ ତାଙ୍କର ଦୁଇ ଝିଅ ଘରର ଲନ୍ରେ ଆଈ ଓ ମାଉସୀଙ୍କ ସହ ବସିଥିଲେ।
ହଠାତ୍ ଗୁଳି ଶବ୍ଦ ଶୁଣି ରବିୟାଙ୍କ ଭଉଣୀ ଅଲବିନା ଦୌଡ଼ି ତାଙ୍କ ବେଡ୍ରୁମ୍କୁ ଯାଇଥିଲେ। ସେଠାରେ ରବିୟା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିଥିଲେ। ଅନ୍ୟପଟେ ତାଙ୍କ ସ୍ୱାମୀ ଅହସାନ୍ ତାହିରଙ୍କ ହାତରେ ବନ୍ଧୁକ ଥିଲା।
ପୁଲିସ ନିକଟରେ ତାହିର କହିଥିଲେ ଯେ, ଏହା ଏକ ଦୁର୍ଘଟଣା। ସେ ବନ୍ଧୁକ ଯାଞ୍ଚ କରୁଥିବା ବେଳେ ଅଜାଣତରେ ଗୁଳି ଫୁଟି ଯାଇଥିଲା। ବନ୍ଧୁକରେ ଗୁଳି ଭର୍ତ୍ତି ଥିବା ସମ୍ପର୍କରେ ସେ ଜାଣିନଥିବା ଦାବି କରିଥିଲେ।
ତେବେ ରବିୟାଙ୍କ ଭାଇଙ୍କ ଅଭିଯୋଗ ପରେ ପୁଲିସ ତାହିରଙ୍କୁ ଗିରଫ କରିଛି। ପଚରାଉଚରା ସମୟରେ ସେ ବନ୍ଧୁକର ଲାଇସେନ୍ସ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିବା ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

