ଗଞ୍ଜାମ ବନ୍ୟାକୁ ନେଇ ସରକାରଙ୍କୁ ଘେରିଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର, ୧୦/୧୧: ଗଞ୍ଜାମ ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ବନ୍ୟା ପ୍ରାକୃତିକ ନୁହେଁ, ବରଂ ମନୁଷ୍ୟକୃତ ବୋଲି ଅଭିଯୋଗ କରିଛନ୍ତି ସେ। ବନ୍ୟା ପରିଚାଳନାରେ ସରକାରଙ୍କ ଅବହେଳାକୁ ଦାୟୀ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ। ଏଥିସହ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଓ କ୍ଷତିଗ୍ରସ୍ତ ପରିବାରଙ୍କ ଥଇଥାନ ପାଇଁ ଦାବି କରିଛନ୍ତି।

ଚିଠିରେ ନବୀନ କହିଛନ୍ତି, ଅକ୍ଟୋବର ୨୩ ତାରିଖରୁ ହିଁ ବାତ୍ୟା ଓ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିଲା। ଏହା ସତ୍ତ୍ୱେ ଡ୍ୟାମ୍‌ରୁ ଆଗୁଆ ଜଳ ନିଷ୍କାସନ କରାଯାଇନଥିଲା। ବର୍ଷା ପରେ ହଠାତ୍ ଡ୍ୟାମ୍‌ରୁ ପାଣି ଛଡ଼ାଯିବା ଯୋଗୁଁ ବନ୍ୟା ସ୍ଥିତି ଆହୁରି ସଙ୍ଗିନ ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ସେହିପରି ଡ୍ୟାମ୍‌ର ଗେଟ୍ ଖୋଲିବା ପୂର୍ବରୁ ତଳିଆ ଅଞ୍ଚଳର ଲୋକଙ୍କୁ ଠିକ୍ ଭାବେ ସତର୍କ କରାଯାଇନଥିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ନବୀନ। ଏହାଦ୍ୱାରା ଅନେକ ଲୋକ ହଠାତ୍ ବନ୍ୟାଜଳ ଘେରରେ ଫସି ଯାଇଥିଲେ। ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବଣ୍ଟନରେ ବିଳମ୍ବ ହେବାରୁ ଲୋକେ ଦିନ ଦିନ ଧରି ଖାଦ୍ୟ ଓ ପାଣି ବିନା ଦୁର୍ଦ୍ଦଶା ଭୋଗିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ବନ୍ୟା ପରିଚାଳନାରେ ସ୍ଥାନୀୟ ଲୋକପ୍ରତିନିଧି ଓ ମହିଳା ସଂଗଠନଗୁଡ଼ିକୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଇନଥିବା ମଧ୍ୟ ନବୀନଙ୍କ ଅଭିଯୋଗ। ବିଶେଷକରି ସରପଞ୍ଚ ଓ ମିଶନ ଶକ୍ତି ଗୋଷ୍ଠୀକୁ ବିପର୍ଯ୍ୟୟ ପରିଚାଳନାରେ ସାମିଲ କରାଯାଇନଥିବାରୁ ତୃଣମୂଳ ସ୍ତରରେ ସହାୟତା ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଥିବା ସେ କହିଛନ୍ତି।

ଏଭଳି ସ୍ଥିତିରେ ବନ୍ୟା ପ୍ରଭାବିତ ପରିବାରଙ୍କୁ ତୁରନ୍ତ ରିଲିଫ୍ ଯୋଗାଇବା ସହ କ୍ଷତିଗ୍ରସ୍ତଙ୍କ ଥଇଥାନ ଓ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ନବୀନ ଦାବି କରିଛନ୍ତି। ଏଥିସହ ବନ୍ୟା ପରିଚାଳନାରେ କେଉଁଠି ତ୍ରୁଟି ରହିଲା, ତାହାର ନିରପେକ୍ଷ ସମୀକ୍ଷା କରିବାକୁ ମଧ୍ୟ ସେ ଦାବି ଜଣାଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ