କୁଆଡେ ଗଲା ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ରିପୋର୍ଟ ? ସରକାରଙ୍କୁ ପ୍ରଶ୍ନ କଲା ବିଶ୍ଵ ହିନ୍ଦୁ ପରିଷଦ

ଭୁବନେଶ୍ୱର: ୧୮ ବର୍ଷ ବିତିଗଲାଣି। ହେଲେ ଏବେ ବି ରହସ୍ୟ ଘେରରେ ରହିଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାକୁ ନେଇ ଅନେକ ପ୍ରଶ୍ନ। ବିଶେଷକରି ଏହି ଘଟଣାର ତଦନ୍ତ କରିଥିବା ନାଇଡୁ କମିଶନଙ୍କ ରିପୋର୍ଟ କେଉଁଠି ଅଛି, ତାହାକୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା। ରିପୋର୍ଟ ଗାଏବ ହେବା ପଛରେ କାହାର ଦାୟିତ୍ୱହୀନତା ରହିଛି? ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ? ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ସାଙ୍ଗଠନିକ ମହାସଚିବ ମିଲିନ୍ଦ ପରାଣ୍ଡେ।

ଓଡ଼ିଶା ଗସ୍ତରେ ଆସିଥିବା ମିଲିନ୍ଦ ପରାଣ୍ଡେ କହିଛନ୍ତି, ନାଇଡୁ କମିଶନଙ୍କ ରିପୋର୍ଟ ଏବେ କେଉଁଠି ଅଛି, ତାହା ସରକାର ସ୍ପଷ୍ଟ କରିବା ଦରକାର। ଯଦି ରିପୋର୍ଟ ହଜିଯାଇଛି, ତେବେ ଏଥିପାଇଁ ଦାୟୀ ଅଧିକାରୀଙ୍କୁ ଚିହ୍ନଟ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହା ସହ ରିପୋର୍ଟ ଉଦ୍ଧାର ପାଇଁ ସରକାର ଗୁରୁତ୍ୱ ଦେବାକୁ ସେ ଦାବି କରିଛନ୍ତି।

ନାଇଡୁଙ୍କ ସହ ଆଲୋଚନା କରି ରିପୋର୍ଟ ଆଣନ୍ତୁ ସରକାର

ମିଲିନ୍ଦ ପରାଣ୍ଡେଙ୍କ କହିବା ଅନୁସାରେ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଘଟଣାର ତଦନ୍ତ ସହ ଜଡ଼ିତ ନାଇଡୁ ଏବେ ମଧ୍ୟ ଜୀବିତ ଅଛନ୍ତି। ତେଣୁ ସରକାର ତାଙ୍କ ସହ ଯୋଗାଯୋଗ କରି ରିପୋର୍ଟ ସଂଗ୍ରହ କରିବା ଦିଗରେ ପଦକ୍ଷେପ ନେଇପାରିବେ। ଏଥିପାଇଁ ସରକାର ଆନ୍ତରିକତାର ସହ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଦାରା ସିଂଙ୍କ ମୁକ୍ତି ପାଇଁ ଦାବି

ଏହା ସହିତ ଦାରା ସିଂଙ୍କୁ ମଧ୍ୟ ଜେଲରୁ ମୁକ୍ତ କରିବାକୁ ମିଲିନ୍ଦ ପରାଣ୍ଡେ ଦାବି କରିଛନ୍ତି। ତାଙ୍କ ମତରେ, ଦାରା ସିଂ ନିଜ ଦଣ୍ଡ ଭୋଗି ସାରିଛନ୍ତି। ଏହାଠାରୁ ବଡ଼ ଘଟଣା ମଧ୍ୟ ଘଟିଛି। ତେଣୁ ତାଙ୍କୁ ମୁକ୍ତ କରିବା ଉଚିତ୍ ବୋଲି ସେ ମତ ରଖିଛନ୍ତି।

୨୨ ନଭେମ୍ବରରୁ ଦେଶବ୍ୟାପୀ ଅଭିଯାନ

ଅନ୍ୟପଟେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆସନ୍ତା ନଭେମ୍ବର ୨୨ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ହିତଚିନ୍ତକ ଅଭିଯାନ’ ଆୟୋଜନ କରାଯିବ। ଦେଶର ପ୍ରାୟ ୨ ଲକ୍ଷ ଗାଁରେ ଏହି ଅଭିଯାନ ପହଞ୍ଚାଇବାକୁ ଯୋଜନା ରହିଛି। ଏହା ଜରିଆରେ ୧ କୋଟି ଲୋକଙ୍କୁ ସଂଗଠନ ସହ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ଓଡ଼ିଶାରେ ୫ ଲକ୍ଷ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରିବା ସହ ସଂଗଠନକୁ ଆହୁରି ମଜବୁତ୍ କରିବାକୁ ଯୋଜନା ରହିଥିବା ମିଲିନ୍ଦ ପରାଣ୍ଡେ ସୂଚନା ଦେଇଛନ୍ତି।

୧୮ ବର୍ଷ ପରେ ପୁଣି ନାଇଡୁ କମିଶନ ରିପୋର୍ଟ ପ୍ରସଙ୍ଗ ଉଠିବା ପରେ ଏହାକୁ ନେଇ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ