ପାକିସ୍ତାନ ସେନା ଉପରେ ଆକ୍ରମଣ : ୧୩ ମୃତ

ପାକିସ୍ତାନୀ କୋଷ୍ଟ ଗାର୍ଡଙ୍କ ଉପରେ ବଡ଼ ଆକ୍ରମଣ, ୧୩ ଜଣଙ୍କ ମୃତ୍ୟୁ ଦାବି

ନୂଆଦିଲ୍ଲୀ, ୧୨/୧୦: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ପୁଣି ଥରେ ହିଂସାକାଣ୍ଡ ଘଟିଛି। ଗ୍ୱାଦର ଜିଲ୍ଲାରେ ପାକିସ୍ତାନୀ ସୁରକ୍ଷା ବାହିନୀର ପୋଷ୍ଟ ଏବଂ ଜାହାଜକୁ ଟାର୍ଗେଟ୍ କରି ବଡ଼ ଧରଣର ଆକ୍ରମଣ କରାଯାଇଥିବା ଦାବି କରିଛି ବେଲୁଚ୍ ଲିବରେସନ୍ ଆର୍ମି (ବିଏଲଏ)। ଏହି ଆକ୍ରମଣରେ ୧୩ ଜଣ ପାକିସ୍ତାନୀ କୋଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଏହି ଦାବିର ସ୍ୱାଧୀନ ଭାବେ ପୁଷ୍ଟି ହୋଇନାହିଁ।

ବିଏଲଏ ପକ୍ଷରୁ ଅକ୍ଟୋବର ୧୧ ତାରିଖରେ ଜାରି ବିବୃତି ଅନୁଯାୟୀ, ପାକିସ୍ତାନର ଦୁଇଟି ଜାହାଜକୁ ଆକ୍ରମଣର ଲକ୍ଷ୍ୟ କରାଯାଇଥିଲା। ଏଥିରେ ଜାହାଜଗୁଡ଼ିକ କ୍ଷତିଗ୍ରସ୍ତ ହେବା ସହ ୧୩ ଜଣ କୋଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି।

ଆକ୍ରମଣ ପଛରେ ବିଏଲଏର ନୌସେନା ୟୁନିଟ୍!

ସଂଗଠନର ମୁଖପାତ୍ର ଜିୟାନ୍ଦ ବଲୋଚଙ୍କ କହିବା ଅନୁଯାୟୀ, ବିଏଲଏର ହମ୍ମାଲ ମ୍ୟାରିଟାଇମ୍ ଡିଫେନ୍ସ ଫୋର୍ସ ଏହି ଆକ୍ରମଣରେ ସାମିଲ ଥିଲା। ଏହି ସଂଗଠନ ୨୦୨୬ ଏପ୍ରିଲ ୧୩ ତାରିଖରେ ନିଜର ସାମୁଦ୍ରିକ ବାହିନୀ ଗଠନ କରିଥିବା ଦାବି କରିଛି।

ଏହା ପୂର୍ବରୁ ପାକିସ୍ତାନୀ ନୌସେନାର ଏକ ପାଟ୍ରୋଲିଂ ଡଙ୍ଗାକୁ ଟାର୍ଗେଟ୍ କରାଯାଇଥିଲା ଏବଂ ଏଥିରେ ତିନି ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଥିବା ବିଏଲଏ ମୁଖପାତ୍ର ଦାବି କରିଛନ୍ତି।

କାହିଁକି ବିବାଦରେ ଗ୍ୱାଦର ବନ୍ଦର?

ବେଲୁଚିସ୍ତାନର ଦକ୍ଷିଣ ଭାଗରେ ଅବସ୍ଥିତ ଗ୍ୱାଦର ବନ୍ଦର ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବନ୍ଦର ଚୀନର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ଏବଂ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର୍ (ସିପିଇସି) ପ୍ରକଳ୍ପ ସହ ଜଡ଼ିତ।

ଗ୍ୱାଦର ବନ୍ଦର ମାଧ୍ୟମରେ ଚୀନ୍ ଆରବ ସାଗରକୁ ସାମୁଦ୍ରିକ ପ୍ରବେଶ ପାଇପାରୁଥିବାରୁ ଏହାର ଗୁରୁତ୍ୱ ବଢ଼ିଛି। ଅନ୍ୟପଟେ, ବେଲୁଚିସ୍ତାନରେ ଏହି ପ୍ରକଳ୍ପକୁ ନେଇ ଦୀର୍ଘଦିନ ଧରି ଅସନ୍ତୋଷ ରହିଆସିଛି।

ବିଏଲଏ ଦାବି କରୁଛି ଯେ, ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଲୋକଙ୍କ ଅପେକ୍ଷା ପାକିସ୍ତାନ ସରକାର ଓ ଚୀନ୍ ଅଧିକ ଲାଭବାନ ହେବେ। ଏହା ସହିତ ଏହି ଅଞ୍ଚଳରେ ଚୀନର ପ୍ରଭାବ ବୃଦ୍ଧି ପାଇବ ବୋଲି ସଂଗଠନ ଅଭିଯୋଗ କରୁଛି।

ଏହି ପରିପ୍ରେକ୍ଷୀରେ ଗ୍ୱାଦର ଅଞ୍ଚଳରେ ହୋଇଥିବା ଆକ୍ରମଣ ପୁଣି ଥରେ ବେଲୁଚିସ୍ତାନର ସୁରକ୍ଷା ପରିସ୍ଥିତି ଏବଂ ଚୀନ୍-ପାକିସ୍ତାନ ରଣନୈତିକ ସହଯୋଗକୁ ନେଇ ଚର୍ଚ୍ଚା ବଢ଼ାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ