ନୂଆଦିଲ୍ଲୀ: ତାମିଲନାଡୁ ରାଜନୀତିରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ। ଗୋଟିଏ ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ କଫି ବୈଠକ, ଆଉ ତା’ପର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମେଟ୍ରୋ ଯାତ୍ରା ଓ ମନ୍ଦିର ଦର୍ଶନ। ବିଜୟଙ୍କ ଏହି ଦୁଇଟି ଭିନ୍ନ ରାଜନୈତିକ ସାକ୍ଷାତକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।
ଗୋଟିଏ ପଟେ ତାମିଲନାଡୁରେ କଂଗ୍ରେସ ସହ ମେଣ୍ଟ, ଅନ୍ୟପଟେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ସହ ସମନ୍ୱୟ। ଏହି ଦୁଇ ଦିଗକୁ ସନ୍ତୁଳିତ କରି ବିଜୟ ନିଜର ରାଜନୈତିକ ରଣନୀତି ଆଗକୁ ବଢ଼ାଉଥିବା ନେଇ ଆଲୋଚନା ହେଉଛି।
ରାହୁଲଙ୍କ ସହ ବୈଠକ ପରେ ମୋଦୀଙ୍କ ସହ ମେଟ୍ରୋ ଯାତ୍ରା
ସୂଚନା ଅନୁସାରେ, ଶନିବାର ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ବିଜୟ କଫି ପିଇବା ସହ ଆଲୋଚନା କରିଥିଲେ। ଏହାର ଠିକ୍ ପରଦିନ ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଚେନ୍ନାଇ ମେଟ୍ରୋରେ ଯାତ୍ରା କରିଥିଲେ। ଏହାସହ ଆଇଆଇଟି ମାଡ୍ରାସ ପରିସରରେ ଥିବା ଏକ ମନ୍ଦିରରେ ଦର୍ଶନ ମଧ୍ୟ କରିଥିଲେ।
ଚେନ୍ନାଇ ମେଟ୍ରୋ ରେଳର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବା ସହ ପ୍ରାୟ ୧୩ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ପାଇଁ ମୋଦୀ ତାମିଲନାଡୁ ଗସ୍ତ କରିଥିଲେ।
ଏହି ସରକାରୀ କାର୍ଯ୍ୟକ୍ରମରେ ବିଜୟଙ୍କ ସହ ମୋଦୀଙ୍କ ଉପସ୍ଥିତିକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ବିଶେଷକରି ରାଜ୍ୟରେ କଂଗ୍ରେସ ସହ ଟିଭିକେର ସମ୍ପର୍କ ଥିବାବେଳେ କେନ୍ଦ୍ରର ବିଜେପି ସରକାର ସହ ବିଜୟଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
‘ବିଜୟ ଫର୍ ପିଏମ୍’ ନାରାକୁ ନେଇ ଚର୍ଚ୍ଚା
ଟିଭିକେ କର୍ମୀଙ୍କ ପକ୍ଷରୁ ‘ବିଜୟ ଫର୍ ପିଏମ୍’ ନାରା ଦିଆଯିବା ମଧ୍ୟ ରାଜନୈତିକ ଆଲୋଚନାକୁ ଆହୁରି ତୀବ୍ର କରିଛି। କଂଗ୍ରେସ ୨୦୨୯ ଲୋକସଭା ନିର୍ବାଚନ ପାଇଁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦର ଚେହେରା ଭାବେ ଉପସ୍ଥାପନ କରୁଥିବାବେଳେ ଏଭଳି ନାରା ମେଣ୍ଟ ରାଜନୀତିରେ ନୂଆ ପ୍ରଶ୍ନ ସୃଷ୍ଟି କରିଛି।
ତେବେ ଟିଭିକେ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ‘ବିଜୟ ଫର୍ ପିଏମ୍’ ନାରା କେତେକ କର୍ମୀଙ୍କ ବ୍ୟକ୍ତିଗତ ଆଶାକୁ ପ୍ରତିଫଳିତ କରୁଛି। ଏହା ଦଳର ଆନୁଷ୍ଠାନିକ ଆଭିମୁଖ୍ୟ ନୁହେଁ। ତଥାପି ତାମିଲନାଡୁରୁ ଜଣେ ନେତା ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ ବୋଲି ଜଣେ ରାଜ୍ୟ ମନ୍ତ୍ରୀଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି।
ବିଜେପିକୁ କହିଥିଲେ ‘ବୈଚାରିକ ଶତ୍ରୁ’
ବିଜୟ ପୂର୍ବରୁ ବିଜେପିକୁ ନିଜ ଦଳର ‘ବୈଚାରିକ ଶତ୍ରୁ’ ବୋଲି ଅଭିହିତ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ବିକାଶ, କେନ୍ଦ୍ରୀୟ ପାଣ୍ଠି, ସରକାରୀ ଯୋଜନା ଓ ପୁଞ୍ଜିନିବେଶ ପାଇଁ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରଖିବା ତାଙ୍କ ପାଇଁ ଜରୁରୀ।
ଟିଭିକେ ନେତା ନିର୍ମଳ କୁମାର ଏହି ପ୍ରସଙ୍ଗରେ କହିଛନ୍ତି ଯେ, ତାମିଲନାଡୁର କଲ୍ୟାଣ ଓ ବିକାଶ ହେଉଛି ଦଳର ପ୍ରାଥମିକତା। ଏଥିପାଇଁ ଆବଶ୍ୟକ ହେଲେ ସରକାର ନମନୀୟ ଆଭିମୁଖ୍ୟ ଗ୍ରହଣ କରିବେ। ମୋଦୀଙ୍କ ସହ କାର୍ଯ୍ୟକ୍ରମ ଏକ ସରକାରୀ ଆୟୋଜନ ଥିବାବେଳେ ରାହୁଲଙ୍କ ସହ ବୈଠକ ରାଜନୈତିକ ବନ୍ଧୁତାର ପ୍ରତୀକ ବୋଲି ସେ ସ୍ପଷ୍ଟ କରିଛନ୍ତି।
ତାମିଲନାଡୁର ବିକାଶ ପାଇଁ କେନ୍ଦ୍ରକୁ ଦାବିପତ୍ର
ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜୟ ରାଜ୍ୟର ବିଭିନ୍ନ ସମସ୍ୟା ଓ ବିକାଶମୂଳକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ଏଥିରେ ଅଟକି ରହିଥିବା କେନ୍ଦ୍ରୀୟ ପାଣ୍ଠିକୁ ବିନା ସର୍ତ୍ତରେ ମଞ୍ଜୁର କରିବା, ତିନୋଟି ଜାତୀୟ ରାଜପଥର ଛଅ ଲେନ୍ ବିଶିଷ୍ଟ ସମ୍ପ୍ରସାରଣ ଏବଂ ମାଡ୍ରାସ ହାଇକୋର୍ଟରେ ତାମିଲ ଭାଷାକୁ ସରକାରୀ ଭାଷା ଭାବେ ମାନ୍ୟତା ଦେବା ଭଳି ଦାବି ରହିଥିଲା। ତେବେ ଏହି ପ୍ରସଙ୍ଗଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ମିଳିଥିବା ଜଣାପଡ଼ିନାହିଁ।
ମୋଦୀ ମଧ୍ୟ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା, ଏଡାପାଡି କେ. ପଲାନିସ୍ୱାମୀ ଓ ଏମ୍. କେ. ଷ୍ଟାଲିନଙ୍କ ସହ ନିଜର କାର୍ଯ୍ୟସମ୍ପର୍କକୁ ମନେ ପକାଇ ରାଜ୍ୟର ନେତୃତ୍ୱ ସହ କାମ କରିବାର ଗୁରୁତ୍ୱ ଉପରେ ମତ ରଖିଥିଲେ।
ସାମଗ୍ରିକ ଭାବେ, ବିଜୟଙ୍କ ଏହି ଆଭିମୁଖ୍ୟ ରାଜ୍ୟରେ ମେଣ୍ଟ ରାଜନୀତି ଓ କେନ୍ଦ୍ର ସହ ସମ୍ପର୍କ ମଧ୍ୟରେ ସନ୍ତୁଳନ ରଖିବାର ଏକ ପ୍ରୟାସ ଭାବେ ଦେଖାଯାଉଛି। ତେବେ ଆଗାମୀ ଦିନରେ ତାଙ୍କ ରାଜନୈତିକ ରଣନୀତି କେଉଁ ଦିଗକୁ ଗତି କରିବ, ତାହା ଉପରେ ସମସ୍ତଙ୍କ ନଜର ରହିବ।

