ଭୁବନେଶ୍ୱର, ୭/୧୦: ଅକ୍ଟୋବର ୮ ତାରିଖ ଗୁରୁବାର ଓଡ଼ିଶା ବନ୍ଦ ପାଳନ ପାଇଁ ଡାକରା ଦେଇଛି ଇଣ୍ଡିଆ ବ୍ଲକ୍। ରାଜ୍ୟବ୍ୟାପୀ ଏହି ବନ୍ଦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଳନ କରିବାକୁ ଆହ୍ୱାନ କରାଯାଇଛି। ବନ୍ଦକୁ ସଫଳ କରିବା ପାଇଁ ରେଳ ଓ ବସ୍ ଚଳାଚଳ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଏବଂ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି।
ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ଭଳି ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିବା ନେଇ ସୂଚନା ମିଳିଛି।
ଏସ୍ଆଇଆର୍ ପ୍ରସଙ୍ଗକୁ ନେଇ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ବହିଷ୍କାର ଦାବି କରିଛି ଇଣ୍ଡିଆ ବ୍ଲକ୍। ଏହାସହ ଏମ୍ଏମ୍ଡିଆର୍ ଆଇନର ସଂଶୋଧନ ପ୍ରତ୍ୟାହାର କରି ଓଡ଼ିଶାର ଖଣିଜ ସମ୍ପଦର ସୁରକ୍ଷା, ବନ୍ୟା ପୀଡ଼ିତଙ୍କୁ ପର୍ଯ୍ୟାପ୍ତ ସହାୟତା ଓ ପୁନର୍ବାସ ଯୋଗାଇବା ଭଳି ଦାବି ରହିଛି।
ପ୍ରାଥମିକ ଶିକ୍ଷା ପାଠ୍ୟପୁସ୍ତକରେ ଅନିୟମିତତା ଏବଂ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ଅଭିଯୋଗ ଉଠାଇ ସମ୍ପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରାଯାଇଛି।
ବନ୍ଦ ପୂର୍ବରୁ ବୁଧବାର ଭୁବନେଶ୍ୱରରେ କଂଗ୍ରେସ ଓ ବାମ ଦଳ ପକ୍ଷରୁ ପଦଯାତ୍ରା ଓ ପ୍ରତିବାଦ କରାଯାଇଛି। ଏଜି ଛକସ୍ଥିତ ଡ. ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ନେତା ଓ କର୍ମୀମାନେ ଏକାଠି ହୋଇ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି।

