ଭୁବନେଶ୍ୱର: ଓଡ଼ିଶା ଉପକୂଳ ନିକଟ ମହାନଦୀ ଅଫଶୋର ବେସିନରେ ଗ୍ୟାସ ସନ୍ଧାନ କରିଛି ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ କମ୍ପାନୀ ONGC। ‘ସମୁଦ୍ର ମନ୍ଥନ’ ଅଭିଯାନ ଅଧୀନରେ ଖୋଳାଯାଇଥିବା ଗଭୀର ସମୁଦ୍ର କୂପ MN-DW18-1-H-Dରୁ ଏହି ସଫଳତା ମିଳିଛି। କୋଣାର୍କ ଉପକୂଳଠାରୁ ପ୍ରାୟ ୪୩ କିଲୋମିଟର ଦୂରରେ ଏହି କୂପ ରହିଛି।
୧୪୫୦ ମିଟର ଗଭୀରତାରେ ମିଳିଲା ଗ୍ୟାସ
ONGCର ସୂଚନା ଅନୁସାରେ, ସେପ୍ଟେମ୍ବର ୧୮ ତାରିଖରେ କୂପର ୧,୪୪୧ରୁ ୧,୪୫୨ ମିଟର ଗଭୀରତା ମଧ୍ୟରେ ଗ୍ୟାସ ମିଳିଥିଲା। ଏହି କୂପକୁ ମୋଟ ୧,୬୨୩ ମିଟର ଗଭୀରତା ପର୍ଯ୍ୟନ୍ତ ଖୋଳାଯାଇଥିଲା। ଗ୍ୟାସ ମିଳିବା ପରେ ଗତ ତିନି ଦିନ ଧରି ଉତ୍ସାହଜନକ ଫ୍ଲୋ ଓ ରିଜର୍ଭୋୟର ପ୍ରେସର ରେକର୍ଡ ହୋଇଥିବା କମ୍ପାନୀ କହିଛି।
ଜୁଲାଇ ୨୫ରେ ଆରମ୍ଭ ହୋଇଥିଲା ଖନନ
ମହାନଦୀ ଅଫଶୋର ବେସିନରେ ଏହା ‘ସମୁଦ୍ର ମନ୍ଥନ’ ଅଭିଯାନ ଅଧୀନରେ ONGCର ପ୍ରଥମ କୂପ। ଜୁଲାଇ ୨୫, ୨୦୨୬ରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଉପସ୍ଥିତିରେ ଏହାର ଡ୍ରିଲିଂ ଆରମ୍ଭ ହୋଇଥିଲା। ମହାନଦୀ ଅଫଶୋର ବେସିନରେ ଯୋଜନା ହୋଇଥିବା ଚାରିଟି ଗଭୀର ସମୁଦ୍ର କୂପ ମଧ୍ୟରୁ ଏହା ପ୍ରଥମ।
ତୁରନ୍ତ ଉତ୍ପାଦନ ହେବ କି?
କୋଣାର୍କ ଉପକୂଳ ନିକଟରେ ଗ୍ୟାସ ମିଳିଥିବାରୁ ଭବିଷ୍ୟତରେ ଏହାକୁ ବିକଶିତ କରିବାରେ ଲଜିଷ୍ଟିକ୍ସ ସୁବିଧା ମିଳିପାରେ। ତେବେ ଏଠାରେ କେତେ ପରିମାଣର ଗ୍ୟାସ ରହିଛି ଏବଂ ବାଣିଜ୍ୟିକ ଭାବେ ଉତ୍ପାଦନ କରିବା ସମ୍ଭବ କି ନାହିଁ, ତାହା ଜାଣିବା ପାଇଁ ଆହୁରି ମୂଲ୍ୟାୟନ ଓ ପରୀକ୍ଷଣ ଆବଶ୍ୟକ। ତେଣୁ ଏହାକୁ ଏବେଠାରୁ ବାଣିଜ୍ୟିକ ଗ୍ୟାସ ଉତ୍ସ ଭାବେ ନିଶ୍ଚିତ କରାଯାଇନାହିଁ।
କ’ଣ ଏହି ‘ସମୁଦ୍ର ମନ୍ଥନ’?
କେନ୍ଦ୍ର ସରକାର ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୮୪,୦୮୪ କୋଟି ଟଙ୍କାର ଆଉଟଲେ ସହ ‘ସମୁଦ୍ର ମନ୍ଥନ’ ବା ନ୍ୟାସନାଲ ଅଫଶୋର ଏକ୍ସପ୍ଲୋରେସନ ସ୍କିମ୍କୁ ଅନୁମୋଦନ କରିଛନ୍ତି। ଗଭୀର ସମୁଦ୍ର ଅଞ୍ଚଳରେ ତୈଳ ଓ ପ୍ରାକୃତିକ ଗ୍ୟାସ ଅନ୍ୱେଷଣକୁ ତ୍ୱରାନ୍ୱିତ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।
ଯୋଜନା ଅଧୀନରେ ମହାନଦୀ ସହ କୃଷ୍ଣା-ଗୋଦାବରୀ, କାବେରୀ ଓ ଆଣ୍ଡାମାନ ଭଳି ଅଫଶୋର ବେସିନରେ ଗଭୀର ସମୁଦ୍ର ଅନ୍ୱେଷଣକୁ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ଅନୁସାରେ, ଏହି ଯୋଜନା ଅଧୀନରେ ୬୦ଟି ଡିପ୍ୱାଟର ଏକ୍ସପ୍ଲୋରେସନ କୂପ ପାଇଁ ଅର୍ଥ ବ୍ୟବସ୍ଥା ରହିଛି।

