ଛାଡିଲେ ଏୟାର୍ ହୋଷ୍ଟେସ ଚାକିରି : ଏବେ ଚଳାଉଛନ୍ତି ଟ୍ରକ୍

ନୂଆଦିଲ୍ଲୀ: ଏୟାର ହୋଷ୍ଟେସ୍‌ରୁ ୧୬-ଟନ୍‌ ଟ୍ରକ୍‌ ଡ୍ରାଇଭର। ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ, ହେଲେ ଏହା ହେଉଛି ହିମାଚଳ ପ୍ରଦେଶର ୨୫ ବର୍ଷୀୟା ନେହା ଠାକୁରଙ୍କ କାହାଣୀ। କୋଭିଡ୍‌-୧୯ ମହାମାରୀ ସମୟରେ ବିମାନ ସେବା ପ୍ରଭାବିତ ହେବାରୁ ନେହା ଚାକିରି ହରାଇଥିଲେ। କିନ୍ତୁ ଏହି ସଙ୍କଟ ତାଙ୍କୁ ଅଟକାଇ ପାରିନଥିଲା। ନୂଆ ସୁଯୋଗ ଖୋଜିବା ସହ ସେ ନିଜର ଆଉ ଏକ ପୁରୁଣା ଇଚ୍ଛାକୁ ପେଷାରେ ପରିଣତ କରିଥିଲେ।

ଆକାଶରେ ଉଡ଼ିବାର ସ୍ୱପ୍ନ ଥିଲା

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ସରକାଘାଟ ଅଞ୍ଚଳର ଖୁଦଲା ଗାଁର ନେହା ପିଲାଦିନରୁ ଆକାଶରେ ଉଡ଼ିବାର ସ୍ୱପ୍ନ ଦେଖୁଥିଲେ। ଗ୍ରାଜୁଏସନ୍‌ ପରେ ସେ ଏୟାର ହୋଷ୍ଟେସ୍‌ ହେବା ପାଇଁ ଚଣ୍ଡୀଗଡ଼ ଯାଇ ତାଲିମ ନେଇଥିଲେ। ପରେ ଏଭିଏସନ୍‌ ସେକ୍ଟରରେ କାମ ଆରମ୍ଭ କରିଥିଲେ।

ତେବେ କୋଭିଡ୍‌ ମହାମାରୀ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ଲକଡାଉନ୍‌ ସମୟରେ ବିମାନ ସେବା ବାଧାପ୍ରାପ୍ତ ହେବାରୁ ତାଙ୍କ ଚାକିରି ଚାଲିଯାଇଥିଲା।

ବାପାଙ୍କଠାରୁ ମିଳିଥିଲା ପ୍ରେରଣା

ଚାକିରି ହରାଇ ଘରକୁ ଫେରିବା ପରେ ନେହା ନିଜ ପିଲାଦିନର ଆଉ ଏକ ଆକର୍ଷଣକୁ ପେଷା ଭାବେ ବାଛିଥିଲେ। ତାଙ୍କ ବାପା ରାଜେଶ ଠାକୁର ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଟ୍ରକ୍‌ ଡ୍ରାଇଭର ଭାବେ କାମ କରୁଛନ୍ତି।

ପିଲାଦିନେ ବାପାଙ୍କ ସହ ଟ୍ରକ୍‌ରେ ଯାତାୟାତ କରୁଥିବାରୁ ନେହାଙ୍କ ମନରେ ବଡ଼ ଗାଡ଼ି ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ଶେଷରେ ସେହି ଆଗ୍ରହକୁ ନିଜ କ୍ୟାରିୟରର ରୂପ ଦେଇଥିଲେ।

ଶିଖିଲେ ଟ୍ରକ୍‌ ଚାଳନାର କୌଶଳ

ଏୟାର ହୋଷ୍ଟେସ୍‌ରୁ ଟ୍ରକ୍‌ ଡ୍ରାଇଭର ହେବା ନେହାଙ୍କ ପାଇଁ ସହଜ ନଥିଲା। ଏଥିପାଇଁ ତାଙ୍କୁ ଗିୟର ପରିବର୍ତ୍ତନ, କ୍ଲଚ୍‌ ନିୟନ୍ତ୍ରଣ, ଏୟାର ବ୍ରେକ୍‌ ସମେତ ଟ୍ରକ୍‌ ଚାଳନାର ବିଭିନ୍ନ କୌଶଳ ଶିଖିବାକୁ ପଡ଼ିଥିଲା।

ସ୍ଥାନୀୟ ରୁଟ୍‌ରେ ଗାଡ଼ି ଚଳାଇବାରୁ ଆରମ୍ଭ କରି ନେହା ଧୀରେ ଧୀରେ ଦୀର୍ଘ ଦୂରତାର ଯାତ୍ରା କରିବା ଆରମ୍ଭ କରିଥିଲେ। ଏବେ ସେ ୧୬-ଟନ୍‌ର ଟାଟା ଟ୍ରକ୍‌ ଚଳାଇ ବିଭିନ୍ନ ରାଜ୍ୟକୁ ନିର୍ମାଣ ସାମଗ୍ରୀ ଓ କୃଷିଜାତ ଦ୍ରବ୍ୟ ପରିବହନ କରୁଛନ୍ତି।

ପାହାଡ଼ିଆ ରାସ୍ତାରେ ଚଳାଉଛନ୍ତି ଭାରୀ ଟ୍ରକ୍‌

ହିମାଚଳର ପାହାଡ଼ିଆ ରାସ୍ତାଠାରୁ ଆରମ୍ଭ କରି ଆନ୍ତଃରାଜ୍ୟ ହାଇୱେ ପର୍ଯ୍ୟନ୍ତ ନେହା ଟ୍ରକ୍‌ ଚଳାଉଛନ୍ତି। ଜଣେ ଯୁବତୀଙ୍କୁ ଏତେ ବଡ଼ ଟ୍ରକ୍‌ ଚଳାଉଥିବା ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହେଉଥିବା ସେ କହିଛନ୍ତି।

ଟ୍ରକ୍‌ ଚଳାଇବା ସମୟରେ ଅନିୟମିତ ଖାଦ୍ୟପେୟ, ପାଣିପାଗର ପରିବର୍ତ୍ତନ ଏବଂ ପରିବାରଠାରୁ ଦୂରରେ ରହିବା ଭଳି ଚ୍ୟାଲେଞ୍ଜ୍‌ ମଧ୍ୟ ରହିଛି। ତଥାପି ନେହା ନିଜ କାମ ଜାରି ରଖିଛନ୍ତି।

ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚିତ

ଟ୍ରକ୍‌ ଚଳାଇବା ସମୟର ଅନୁଭୂତି ଓ ନିଜ ଦୈନନ୍ଦିନ ଜୀବନଶୈଳୀର ଭିଡିଓ ନେହା ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଏହି ଭିଡିଓଗୁଡ଼ିକ ମାଧ୍ୟମରେ ସେ ଅନେକ ଲୋକଙ୍କ ନଜରକୁ ଆସିଛନ୍ତି।

ଏୟାର ହୋଷ୍ଟେସ୍‌ର ଚାକିରି ହରାଇବା ପରେ ହାର ନମାନି ନୂଆ ପେଷାକୁ ଆପଣାଇଥିବା ନେହାଙ୍କ କାହାଣୀ ଏବେ ଚର୍ଚ୍ଚାରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ