ନୋଏଡା, ୨୧/୦୯: କ୍ରିକେଟ୍ ପରେ ରାଜନୀତିରେ ମହମ୍ମଦ ଶାମିଙ୍କ ନୂଆ ଇନିଂସ୍ ଆରମ୍ଭ ହେବ କି? ଏହି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧରୀଙ୍କ ସହ ଭାରତୀୟ କ୍ରିକେଟରଙ୍କ ସାକ୍ଷାତ ପରେ ଏହି ଆଲୋଚନା ଆହୁରି ତୀବ୍ର ହୋଇଛି।
ରବିବାର ଦିଲ୍ଲୀରେ ଶାମି ଓ ଜୟନ୍ତ ଚୌଧରୀଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହାର ଫଟୋ ଜୟନ୍ତ ଚୌଧରୀ ସୋସିଆଲ ମିଡିଆରେ ଶେୟାର କରିବା ପରେ ଉତ୍ତରପ୍ରଦେଶର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷକରି ଶାମିଙ୍କ ଗୃହ ଜିଲ୍ଲା ଅମରୋହାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଚାଲିଛି।
କିଛି ରିପୋର୍ଟରେ ଶାମି ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଅମରୋହା ସଦର ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ, ଶାମି ନିଜେ ନିର୍ବାଚନ ଲଢ଼ିବେ କି ତାଙ୍କ ପରିବାରର କେହି ନିର୍ବାଚନୀ ମଇଦାନକୁ ଓହ୍ଲାଇବେ, ସେନେଇ ମଧ୍ୟ ଆଲୋଚନା ହେଉଛି।
ତେବେ ଏପର୍ଯ୍ୟନ୍ତ ଶାମିଙ୍କ ରାଜନୀତିରେ ଯୋଗଦାନ, ଆରଏଲଡିରେ ସାମିଲ ହେବା କିମ୍ବା ୨୦୨୭ ନିର୍ବାଚନ ଲଢ଼ିବା ନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ। ତେଣୁ ବର୍ତ୍ତମାନର ଚର୍ଚ୍ଚାକୁ କେବଳ ରାଜନୈତିକ ଅଟକଳ ଭାବେ ଦେଖାଯାଉଛି।
ଏପଟେ ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତୀୟ ଦଳ ଘୋଷଣା ହୋଇଥିବାବେଳେ ଶାମିଙ୍କ ନାମ ଉଭୟ ଘୋଷିତ ଟିମ୍ରେ ନାହିଁ। ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବ।
ଏବେ ଶାମିଙ୍କ ଜୟନ୍ତ ଚୌଧରୀଙ୍କ ସହ ସାକ୍ଷାତ ପଛର ପ୍ରକୃତ କାରଣ କଣ ଏବଂ ଏହାର କୌଣସି ରାଜନୈତିକ ପରିଣାମ ରହିବ କି ନାହିଁ, ସେନେଇ ଆଗାମୀ ଦିନରେ ସ୍ପଷ୍ଟତା ଆସିବ।

