ଭୁବନେଶ୍ୱର, ୨୨/୦୯: ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପ୍ରକୋପ। ଲଘୁଚାପ ଅବପାତରେ ପରିଣତ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ବିଶେଷକରି ୨୩ ଓ ୨୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ। ତେବେ ଏହି ସିଷ୍ଟମ୍ ବାତ୍ୟାର ରୂପ ନେବାର ଆଶଙ୍କା ନାହିଁ।
ବୁଧବାର ସ୍ଥଳଭାଗ ଛୁଇଁବ ଗଭୀର ଅବପାତ
ପାଣିପାଗ ବିଭାଗର ଆକଳନ ଅନୁସାରେ, ଲଘୁଚାପ ଘନୀଭୂତ ହୋଇ ସୋମବାର ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହୋଇଛି। ଏହା ଗୋପାଳପୁର ଉପକୂଳଠାରୁ ପ୍ରାୟ ୩୧୦ କିଲୋମିଟର ଦକ୍ଷିଣ-ପୂର୍ବରେ ରହି ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହୋଇପାରେ। ବୁଧବାର ବିଳମ୍ବିତ ସନ୍ଧ୍ୟାରେ ବିଶାଖାପାଟଣା ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ଏବଂ ଝଟକା ପବନ ୭୦ କିମି ପର୍ଯ୍ୟନ୍ତ ରହିପାରେ।
୨୩ରେ ୩ ଜିଲ୍ଲାକୁ ରେଡ୍ ଆଲର୍ଟ
୨୩ ତାରିଖରେ ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି।
ଏହାଛଡ଼ା ଜଗତସିଂହପୁର, କଟକ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ।
୨୪ରେ ମଧ୍ୟ ଭାରୀ ବର୍ଷା
୨୪ ତାରିଖରେ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।
୨୫ ତାରିଖରୁ ବର୍ଷାର ପ୍ରଭାବ ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ଆଡ଼କୁ ବଢ଼ିବାର ସମ୍ଭାବନା ରହିଛି। ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ଆଶଙ୍କା ରହିଛି।
ବର୍ଷା ମୁକାବିଲା ପାଇଁ ପ୍ରସ୍ତୁତି
ସମ୍ଭାବ୍ୟ ବର୍ଷା ଓ ଏହାର ପ୍ରଭାବକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ପ୍ରଭାବିତ ହୋଇପାରୁଥିବା ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

