ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଭାରତୀୟ ମହିଳା ଦଳର ଦମଦାର ପ୍ରଦର୍ଶନ। ଦୁବାଇରେ ଚାଲିଥିବା ମହିଳା ଏସିଆ କପ୍ ୨୦୨୬ରେ ପାକିସ୍ତାନକୁ ଏକପାଖିଆ ଭାବେ ପରାସ୍ତ କରିଛି ଭାରତ। ପ୍ରଥମେ ବୋଲିଂ କରି ପାକିସ୍ତାନକୁ ମାତ୍ର ୫୫ ରନ୍ରେ ଅଲଆଉଟ୍ କରିବା ପରେ ଭାରତୀୟ ଦଳ ଅତ୍ୟନ୍ତ କମ୍ ସମୟରେ ବିଜୟ ହାସଲ କରିଛି।
ପାକିସ୍ତାନର ମହିଳା ଟି-୨୦ ଦଳ ପାଇଁ ଏହା ସବୁଠାରୁ କମ୍ ସ୍କୋର ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଟି-୨୦ରେ ପାକିସ୍ତାନ ମହିଳା ଦଳର ସର୍ବନିମ୍ନ ସ୍କୋର ୫୬ ରନ୍ ଥିଲା।
ଆରମ୍ଭରୁ ଚାପରେ ପାକିସ୍ତାନ
ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନେଇଥିଲେ ମଧ୍ୟ ଦଳକୁ ଏହାର ଫାଇଦା ମିଳିନଥିଲା। ଭାରତୀୟ ବୋଲରମାନେ ଆରମ୍ଭରୁ ଚାପ ସୃଷ୍ଟି କରିବା ସହ ନିୟମିତ ୱିକେଟ୍ ହାସଲ କରିଥିଲେ। ଫଳରେ ପାକିସ୍ତାନୀ ବ୍ୟାଟରମାନେ ବଡ଼ ଭାଗିଦାରୀ ଗଢ଼ିବାରେ ବିଫଳ ହୋଇଥିଲେ।
ଭାରତର ସ୍ପିନ୍ ଓ ପେସ୍ ବୋଲିଂର ସମନ୍ୱୟ ଆଗରେ ପାକିସ୍ତାନୀ ବ୍ୟାଟିଂ ଲାଇନ୍ଅପ୍ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ଶେଷରେ ପାକିସ୍ତାନର ପୂରା ଦଳ ୫୫ ରନ୍ରେ ପ୍ୟାଭିଲିୟନ୍ ଫେରିଥିଲା।
୮.୪ ଓଭରରେ ମ୍ୟାଚ୍ ଶେଷ
ଅତି ଛୋଟ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲା। ଭାରତୀୟ ବ୍ୟାଟରମାନେ ଅଳ୍ପ ସମୟ ମଧ୍ୟରେ ରନ୍ ସଂଗ୍ରହ କରି ପାକିସ୍ତାନକୁ କୌଣସି ସୁଯୋଗ ଦେଇନଥିଲେ।
ଭାରତ ମାତ୍ର ୩ଟି ୱିକେଟ୍ ହରାଇ ୮.୪ ଓଭରରେ ୫୬ ରନ୍ର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଏହା ସହ ଭାରତୀୟ ମହିଳା ଦଳ ଏସିଆ କପ୍ରେ ନିଜର ସ୍ଥିତିକୁ ଆହୁରି ମଜଭୁତ କରିଛି।
ପାକିସ୍ତାନ ବିପକ୍ଷରେ ଏହି ଏକତରଫା ବିଜୟ ଭାରତୀୟ ଦଳର ବୋଲିଂ ଶକ୍ତିକୁ ପୁଣିଥରେ ପ୍ରମାଣିତ କରିଥିବା ବେଳେ ଟୁର୍ଣ୍ଣମେଣ୍ଟରେ ଦଳର ଦବଦବା ଜାରି ରହିଛି।

