ସୃଷ୍ଟି ହେଲା ଲଘୁଚାପ : ବୁଲିଗଲା ବାତ୍ୟା, ଏବେ ଏହି ଜାଗାରେ କରିବ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର, ୨୩।୧୦: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ବଢ଼ିଲା ବାତ୍ୟା ଆଶଙ୍କା। ଆସନ୍ତା ୨୬ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ସେହିପରି ୨୮ ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ଉପରେ ନଜର ରଖାଯାଇଥିବା ବେଳେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ନେଇ ଆଶଙ୍କା ପ୍ରକାଶ ପାଇଛି।

ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ବଙ୍ଗୋପସାଗରରେ ରହିଥିବା ଲଘୁଚାପ ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ। ୨୫ ତାରିଖ ବେଳକୁ ଏହା ଗଭୀର ଅବପାତର ରୂପ ନେବା ସହ ୨୬ ତାରିଖରେ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ପରବର୍ତ୍ତୀ ସମୟରେ ଏହା ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ।

ବଢ଼ିବ ପବନର ବେଗ

ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଉପକୂଳ ଅଞ୍ଚଳରେ ପବନର ବେଗ କ୍ରମଶଃ ବୃଦ୍ଧି ପାଇବାର ଆଶଙ୍କା ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୪ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିପାରେ। କେତେକ ସ୍ଥାନରେ ଏହା ୬୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ସେହିପରି ୨୫ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଏବଂ ଝଟକା ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ୨୬ ତାରିଖ ସକାଳ ସୁଦ୍ଧା ପବନର ବେଗ ୭୦ରୁ ୮୦ କିଲୋମିଟର ରହିବା ସହ ଝଟକା ପବନ ୯୦ କିଲୋମିଟର ପ୍ରତି ଘଣ୍ଟା ଛୁଇଁପାରେ। ବାତ୍ୟା ଉପକୂଳ ଆଡ଼କୁ ଅଗ୍ରସର ହେବା ସହ ପବନର ତୀବ୍ରତା ବଢ଼ିବାର ସମ୍ଭାବନା ରହିଛି।

୨୭ରୁ ବଢ଼ିବ ବର୍ଷାର ପ୍ରକୋପ

ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ। ୨୬ ତାରିଖରୁ କେତେକ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହେବାର ଆଶଙ୍କା ରହିଛି। ୨୭ ତାରିଖରୁ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

୨୮ ତାରିଖରେ ଉପକୂଳ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବା ସହ ବର୍ଷାର ପରିମାଣ ୨୦ରୁ ୩୦ ସେଣ୍ଟିମିଟର କିମ୍ବା ତା’ଠାରୁ ଅଧିକ ହୋଇପାରେ। ୨୯ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିବା ସହ କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା

ବାତ୍ୟା ସମ୍ଭାବନାକୁ ଦୃଷ୍ଟିରେ ରଖି ସମୁଦ୍ର ଅଶାନ୍ତ ରହିବା ନେଇ ସତର୍କ କରାଯାଇଛି। ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରର ସ୍ଥିତି ଅଶାନ୍ତ ରହିପାରେ। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କତା ଜାରି କରାଯାଇଛି।

ତେବେ ବାତ୍ୟାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ ଲ୍ୟାଣ୍ଡଫଲ୍‌ ସ୍ଥାନ ସମ୍ପର୍କରେ ସଠିକ୍ ଚିତ୍ର ପାଇଁ ପାଣିପାଗ ବିଭାଗର ପରବର୍ତ୍ତୀ ବୁଲେଟିନ୍‌ ଉପରେ ନଜର ରଖିବା ଜରୁରୀ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ