ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ ସରକାରୀ ଚାକିରି ଖୋଜୁଥିବା ଯୁବକ-ଯୁବତୀଙ୍କ ପାଇଁ ଆସିଛି ବଡ଼ ସୁଯୋଗ। ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ୍ ସିଲେକ୍ସନ୍ (IBPS) ପକ୍ଷରୁ କ୍ଲର୍କ ନିଯୁକ୍ତି ୨୦୨୬ ପାଇଁ ଅନଲାଇନ୍ ଆବେଦନ ଜାରି ରହିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୧୧,୪୦୩ଟି ଖାଲି ପଦବି ପୂରଣ କରାଯିବ ।
ଏହି ପଦବି ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୬ ଅଗଷ୍ଟ ୨୧ ଥିଲା ହେଲେ ଏହାକୁ ଆଉ କିଛି ଦିନ ବୃଦ୍ଧି କରାଯିବ ବୋଲି କୁହାଯାଇଛି। ତେଣୁ ଏପର୍ଯ୍ୟନ୍ତ ଫର୍ମ ପୂରଣ କରିନଥିବା ଆଶାୟୀମାନେ ଶୀଘ୍ର ଅନଲାଇନ୍ରେ ଆବେଦନ କରିବା ଆବଶ୍ୟକ। ଶେଷ ତାରିଖ ପରେ ଆବେଦନ ୱିଣ୍ଡୋ ବନ୍ଦ ହୋଇଯିବ।
କିଏ କରିପାରିବେ ଆବେଦନ?
IBPS Clerk Recruitment 2026 ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରି ଥିବା ଦରକାର। ଏହା ସହିତ ନିଯୁକ୍ତି ପାଇଁ ଧାର୍ଯ୍ୟ ଅନ୍ୟାନ୍ୟ ଯୋଗ୍ୟତା ମଧ୍ୟ ପୂରଣ କରିବାକୁ ହେବ।ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ଼ ମିଳିବ।
ଆବେଦନ ଶୁଳ୍କ କେତେ?
ସାଧାରଣ, OBC ଓ EWS ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୮୫୦ ଟଙ୍କା ରହିଛି। ସେହିପରି SC, ST ଓ PwBD ବର୍ଗର ପ୍ରାର୍ଥୀଙ୍କୁ ୧୭୫ ଟଙ୍କା ଦେବାକୁ ପଡ଼ିବ। ଶୁଳ୍କ ଅନଲାଇନ୍ ମାଧ୍ୟମରେ ପୈଠ କରାଯାଇପାରିବ।କିପରି କରିବେ ଆବେଦନ?ଆଶାୟୀମାନେ IBPSର ନିର୍ଦ୍ଧାରିତ ଅନଲାଇନ୍ ପୋର୍ଟାଲ୍କୁ ଯାଇ ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ। ମୋବାଇଲ୍ ଫୋନ୍ କିମ୍ବା ଅନ୍ୟ ଡିଭାଇସ୍ ମାଧ୍ୟମରେ ଘରେ ବସି ମଧ୍ୟ ଫର୍ମ ଦାଖଲ କରିବାର ସୁବିଧା ରହିଛି।ତେଣୁ ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ ଶେଷ ତାରିଖକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରିବା ଭଲ।

