ନୂଆଦିଲ୍ଲୀ: ମାତ୍ର ୧୪ ବର୍ଷ ବୟସରେ ଏକ ନୂଆ AI ଆଧାରିତ ପ୍ରଯୁକ୍ତି ବିକଶିତ କରି ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଛାତ୍ରୀ ଶାରଭି ମହାଜନ। ତାଙ୍କ ଦ୍ୱାରା ବିକଶିତ ‘ନ୍ୟୁରୋଡ୍ରାଇଭ୍ ଆଲର୍ଟ’ ସିଷ୍ଟମ ଡ୍ରାଇଭରଙ୍କୁ ନିଦ ଲାଗିବାର ଲକ୍ଷଣ ଚିହ୍ନଟ କରି ପୂର୍ବରୁ ସତର୍କ କରିପାରିବ। ଏହା ଦ୍ୱାରା ନିଦ୍ରାଜନିତ ସଡ଼କ ଦୁର୍ଘଟଣା କମାଇବାରେ ସହାୟତା ମିଳିପାରେ ବୋଲି ଶାରଭିଙ୍କ ଦାବି।
କାଲିଫର୍ଣ୍ଣିଆର ବର୍ନାଡୋ ହାଇଟ୍ସ ମିଡଲ୍ ସ୍କୁଲର ଅଷ୍ଟମ ଶ୍ରେଣୀରେ ପଢୁଥିବା ଶାରଭି ଏହି ପ୍ରକଳ୍ପରେ EEG ପ୍ରଯୁକ୍ତି ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର କରିଛନ୍ତି। ଡ୍ରାଇଭରଙ୍କ ମୁଣ୍ଡରେ ଲଗାଯାଇଥିବା ସେନ୍ସର ମାଧ୍ୟମରେ ମସ୍ତିଷ୍କରେ ସୃଷ୍ଟି ହେଉଥିବା ବୈଦ୍ୟୁତିକ ସିଗ୍ନାଲ୍ ରେକର୍ଡ କରାଯିବ। ପରେ ମେସିନ୍ ଲର୍ଣ୍ଣିଂ ମଡେଲ୍ ଏହି ସିଗ୍ନାଲଗୁଡ଼ିକୁ ବିଶ୍ଳେଷଣ କରି ଡ୍ରାଇଭର ନିଦ୍ରାଭିମୁଖ ହେଉଛନ୍ତି କି ନାହିଁ ଚିହ୍ନଟ କରିବ।
ଏହି ସିଷ୍ଟମର ମୁଖ୍ୟ ଲକ୍ଷ୍ୟ ହେଉଛି ‘ମାଇକ୍ରୋସ୍ଲିପ୍’ ଚିହ୍ନଟ କରିବା। ମାଇକ୍ରୋସ୍ଲିପ୍ ହେଉଛି ଏଭଳି ଏକ ସ୍ଥିତି, ଯେଉଁଥିରେ ଜଣେ ବ୍ୟକ୍ତି କେବଳ କିଛି ସେକେଣ୍ଡ ପାଇଁ ଅଜାଣତରେ ଶୋଇପଡ଼ନ୍ତି। ଗାଡ଼ି ଚଳାଇବା ସମୟରେ ଏହି ଅଳ୍ପ ସମୟର ନିଦ୍ରା ମଧ୍ୟ ଗୁରୁତର ଦୁର୍ଘଟଣାର କାରଣ ହୋଇପାରେ।ଶାରଭିଙ୍କ କହିବା ଅନୁସାରେ, ଡ୍ରାଇଭରଙ୍କ ମସ୍ତିଷ୍କରେ ନିଦ୍ରାର ସଙ୍କେତ ଦେଖାଦେବା ମାତ୍ରେ ‘ନ୍ୟୁରୋଡ୍ରାଇଭ୍ ଆଲର୍ଟ’ ତୁରନ୍ତ ସତର୍କ ସଙ୍କେତ ଦେବ। ଫଳରେ ଡ୍ରାଇଭର ସମୟ ପୂର୍ବରୁ ସଚେତନ ହୋଇପାରିବେ ଏବଂ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବାର ସୁଯୋଗ ମିଳିବ।
ଏହି ଅଭିନବ ପ୍ରକଳ୍ପ ପାଇଁ ଶାରଭି ମହାଜନ ଚଳିତବର୍ଷର ‘3M Young Scientist Challenge’ର ଶ୍ରେଷ୍ଠ ୧୦ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାର ବିଜେତାଙ୍କୁ ୨୫ ହଜାର ଆମେରିକୀୟ ଡଲାରର ପୁରସ୍କାର ମିଳିବ।

