ଋଷିଆ – ଭାରତ ମଧ୍ୟରେ ଚାଲିବ ଟ୍ରେନ୍: ଟିକେଟ କରି ବୁଲିପାରିବେ ଲୋକେ !

ନୂଆଦିଲ୍ଲୀ : ଭାରତ ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଯୋଗାଯୋଗକୁ ନୂଆ ଦିଗ ଦେବା ପାଇଁ ସିଧାସଳଖ ରେଳ ଲିଙ୍କ ନିର୍ମାଣର ପ୍ରସ୍ତାବ ଆସିଛି। ରୁଷ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି।
ରୁଷର ଉପ ପ୍ରଧାନମନ୍ତ୍ରୀ ମରାତ ଖୁସନୁଲିନ ଦେଶର ଗଣମାଧ୍ୟମ ଏଜେନ୍ସି ‘ଟାସ୍’କୁ ଦେଇଥିବା ସାକ୍ଷାତକାରରେ ଭାରତ ମହାସାଗର ପର୍ଯ୍ୟନ୍ତ ରେଳପଥ ନିର୍ମାଣର ସମ୍ଭାବନା ଉପରେ ଆଲୋଚନା କରିଛନ୍ତି। ତାଙ୍କ ମତରେ, ଏଭଳି ଏକ ବିକଳ୍ପ ରେଳ ନେଟୱର୍କ ତିଆରି ହେଲେ ରୁଷର ସାମୁଦ୍ରିକ ପରିବହନ ଉପରେ ନିର୍ଭରଶୀଳତା କିଛି ମାତ୍ରାରେ କମିପାରିବ।
ବର୍ତ୍ତମାନ ଅନ୍ତର୍ଜାତୀୟ ବାଣିଜ୍ୟରେ ବୋସଫୋରସ ଏବଂ ହୋର୍ମୁଜ ପ୍ରଣାଳୀ ଭଳି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ଉପରେ ଅନେକ ଦେଶ ନିର୍ଭର କରୁଛନ୍ତି। ଏହି ଅଞ୍ଚଳରେ ଭୂ-ରାଜନୈତିକ ଉତ୍ତେଜନା ଓ ସୁରକ୍ଷା ଚିନ୍ତା ବଢ଼ୁଥିବାରୁ ବିକଳ୍ପ ପରିବହନ ମାର୍ଗର ଆବଶ୍ୟକତା ମଧ୍ୟ ବଢ଼ିଛି। ଏପରି ସ୍ଥିତିରେ ଭାରତ ମହାସାଗର ଅଭିମୁଖେ ରେଳ ସଂଯୋଗ ରୁଷ ପାଇଁ ଏକ ରଣନୀତିକ ବିକଳ୍ପ ହୋଇପାରେ।
ଏହି ରେଳପଥ କାର୍ଯ୍ୟକାରୀ ହେଲେ ଭାରତ ଓ ରୁଷ ମଧ୍ୟରେ ମାଲ ପରିବହନ ଆହୁରି ସହଜ ଓ ଦ୍ରୁତ ହୋଇପାରେ। ଏହା ସହିତ ମଧ୍ୟ ଏସିଆ ଓ ଇରାନ ଭଳି ଦେଶଗୁଡ଼ିକୁ ମଧ୍ୟ ନୂଆ ବାଣିଜ୍ୟିକ ସୁଯୋଗ ମିଳିପାରେ। ଫଳରେ ଏହି ମାର୍ଗ ଏକ ବଡ଼ ଆଞ୍ଚଳିକ ବାଣିଜ୍ୟିକ କରିଡରର ରୂପ ନେବାର ସମ୍ଭାବନା ରହିଛି।
ତେବେ ଏଭଳି ବିଶାଳ ରେଳ ନେଟୱର୍କ ନିର୍ମାଣ କରିବା ଆଦୌ ସହଜ ନୁହେଁ। ଅନେକ ଦେଶର ଭୂଖଣ୍ଡ ଦେଇ ରେଳପଥ ନିର୍ମାଣ କରିବାକୁ ପଡ଼ିବ। ଏଥିପାଇଁ ବିପୁଳ ଅର୍ଥନିବେଶ ସହିତ ଭିତ୍ତିଭୂମି, ସୁରକ୍ଷା, ରେଳ ନେଟୱର୍କର ସମନ୍ୱୟ ଏବଂ ଦୀର୍ଘମିଆଦୀ ଆନ୍ତଃରାଷ୍ଟ୍ରୀୟ ସହଯୋଗ ଆବଶ୍ୟକ ହେବ।
ଯଦି ଏହି ଯୋଜନା ବାସ୍ତବ ରୂପ ନିଏ, ତେବେ ଏହା କେବଳ ଭାରତ-ରୁଷ ବାଣିଜ୍ୟକୁ ନୂଆ ଗତି ଦେବ ନାହିଁ, ବରଂ ଏସିଆର ଆଞ୍ଚଳିକ ବାଣିଜ୍ୟ ଓ ପରିବହନ ବ୍ୟବସ୍ଥାରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣିପାରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ