ଭୁବନେଶ୍ୱର, ୨୭/୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଏବେ ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମୁହାଁଇଛି। ଘଣ୍ଟାପ୍ରତି ପ୍ରାୟ ୨୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଥିବା ଏହି ବାତ୍ୟାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ବଢ଼ିଛି। ବର୍ତ୍ତମାନ ଏହା ବିଶାଖାପାଟଣାଠାରୁ ୨୬୦ କିଲୋମିଟର ଦକ୍ଷିଣ-ପୂର୍ବରେ, କାକିନାଡାଠାରୁ ୩୦୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ ଏବଂ ଗୋପାଳପୁରଠାରୁ ୩୮୦ କିଲୋମିଟର ଦକ୍ଷିଣରେ ରହିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇ ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ। ବାପଟଲା ଓ ବିଶାଖାପାଟଣା ମଧ୍ୟରେ ୟାନାମ ନିକଟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
ସ୍ଥଳଭାଗ ଅତିକ୍ରମ ସମୟରେ ବାତ୍ୟାର ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ। ଏହାସହ ପବନର ଝଟକା ଘଣ୍ଟାପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି।
ଓଡ଼ିଶାରେ ବର୍ଷା ଓ ପବନ, ୯ ଜିଲ୍ଲାରେ ସ୍କୁଲ୍ ଛୁଟି
ବାତ୍ୟାର ପ୍ରଭାବ ଓଡ଼ିଶାରେ ମଧ୍ୟ ଅନୁଭୂତ ହେବା ଆରମ୍ଭ ହୋଇଛି। ଦକ୍ଷିଣ ଓଡ଼ିଶାଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ଦେଖାଦେଇଛି। ବିଭିନ୍ନ ସ୍ଥାନରେ ବର୍ଷା ସହ ପବନ ବହିବା ଆରମ୍ଭ ହୋଇଛି।
ଆଜି ଓ ଆସନ୍ତାକାଲି ବାତ୍ୟାର ପ୍ରଭାବ ଅଧିକ ରହିବା ଆଶଙ୍କା କରାଯାଉଛି। ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସମ୍ଭାବ୍ୟ ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ପାଇଁ ରେଡ୍ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏଥିସହ ବାତ୍ୟା ଆଶଙ୍କାରେ ରାଜ୍ୟର ୯ଟି ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।
୪୮ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର
ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ରାଜ୍ୟର ୮ଟି ଜିଲ୍ଲାରୁ ୪୮ ହଜାର ୧୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ମଧ୍ୟ ରହିଛି।
ଅନ୍ୟପକ୍ଷରେ, ବିମାନବନ୍ଦରରେ ଦୃଶ୍ୟମାନତା କମ୍ ରହିଥିଲେ ମଧ୍ୟ ବିମାନ ଅବତରଣ ଓ ଉଡ଼ାଣରେ କୌଣସି ସମସ୍ୟା ନଥିବା ସୂଚନା ମିଳିଛି। ଟ୍ରେନ୍ ଚଳାଚଳ ମଧ୍ୟ ସ୍ୱାଭାବିକ ରହିଛି। ରାଜ୍ୟର ବନ୍ଦରଗୁଡ଼ିକ ପାଇଁ ସତର୍କ ସୂଚନା ଜାରି ହୋଇଛି।
ବାତ୍ୟାର ଗତିପଥ ଓ ପ୍ରଭାବ ଉପରେ ପାଣିପାଗ ବିଭାଗ ନଜର ରଖିଥିବାବେଳେ ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

