**ନୂଆଦିଲ୍ଲୀ: ** ସୋସିଆଲ ମିଡିଆରେ ଆକର୍ଷଣୀୟ ଜୀବନଶୈଳୀ ଦେଖାଇ ଲୋକଙ୍କୁ ଠକିବାର ନୂଆ ନୂଆ ଉପାୟ ଆପଣାଉଛନ୍ତି ଠକ। ଏପରି ଏକ ଘଟଣା ଏବେ ରାଜଧାନୀ ଦିଲ୍ଲୀରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜକୁ ଜଣେ ବଡ଼ ବ୍ୟବସାୟୀ ବୋଲି ପରିଚୟ ଦେଇ ଜଣେ ୨୩ ବର୍ଷୀୟ ଯୁବକ ପ୍ରାୟ ୨୦ ଜଣ ମହିଳା ପୁଲିସ କନଷ୍ଟେବଳଙ୍କୁ ଠକିଥିବା ଅଭିଯୋଗ ହୋଇଛି। ବିବାହର ପ୍ରତିଶ୍ରୁତି ଦେବା ସହ ବିଭିନ୍ନ ବାହାନାରେ ସେ ପ୍ରାୟ ୨୪ ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି।
ଏହି ମାମଲାରେ ଅଭିଯୋଗ ପରେ ପୁଲିସ ବିକ୍ରାନ୍ତ ତୋମାର ନାମକ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଇନଷ୍ଟାଗ୍ରାମ ଜରିଆରେ ମହିଳା କନଷ୍ଟେବଳଙ୍କ ସହ ପରିଚୟ ବଢ଼ାଉଥିଲା। ତା’ର ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ଦାମୀ କାର୍ ଦେଖି ଅନେକ ମହିଳା ତା’ ପ୍ରତି ଆକର୍ଷିତ ହୋଇଥିଲେ।
ଦାମୀ କାର୍ ଭଡ଼ାରେ ଆଣି ଦେଖାଉଥିଲା ଧନୀ ହେବାର ଠାଣି
ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଉପସ୍ଥାପନ କରିବାକୁ ଅଭିଯୁକ୍ତ ଜଣକ ପ୍ରତିଦିନ ପ୍ରାୟ ୮ ଘଣ୍ଟା ପାଇଁ ଦାମୀ କାର୍ ଭଡ଼ାରେ ଆଣୁଥିଲା। ଏହି କାର୍ରେ ମହିଳାମାନଙ୍କୁ ବୁଲାଇବାକୁ ନେଇ ସେ ସେମାନଙ୍କ ଆଗରେ ନିଜର ଧନୀ ହେବାର ଛବି ସୃଷ୍ଟି କରୁଥିଲା।
ପ୍ରଥମେ ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ସେ ମହିଳାମାନଙ୍କ ସହ ସମ୍ପର୍କ ଗଢ଼ୁଥିଲା। ପରେ ବ୍ୟବସାୟରେ ଅଧିକ ଲାଭ ମିଳିବାର ଲୋଭ ଦେଖାଇବା ସହ ବିଭିନ୍ନ ଆଳରେ ସେମାନଙ୍କଠାରୁ ଟଙ୍କା ନେଉଥିଲା। ଏହିପରି ଭାବେ ପ୍ରାୟ ୨୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।
ଜଣେ କନଷ୍ଟେବଳଙ୍କଠାରୁ ମିଳୁଥିଲା ଅନ୍ୟମାନଙ୍କ ସୂଚନା
ତଦନ୍ତରୁ ଜଣାପଡ଼ିଥିବା ସୂଚନା ଅନୁସାରେ, ବିକ୍ରାନ୍ତ ଜଣେ ମହିଳା କନଷ୍ଟେବଳଙ୍କ ସହ ଲିଭ୍-ଇନ୍ ସମ୍ପର୍କରେ ରହୁଥିଲା। ତାଙ୍କଠାରୁ ନିଜ ବ୍ୟାଚ୍ର ଅନ୍ୟ ମହିଳା କନଷ୍ଟେବଳଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିଲା। ପରବର୍ତ୍ତୀ ସମୟରେ ସେହି ସୂଚନାକୁ ବ୍ୟବହାର କରି ଅନ୍ୟ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲା ଏବଂ ସେମାନଙ୍କୁ ଠକେଇର ଜାଲରେ ଫସାଉଥିଲା।
୨୦ ମହିଳା କନଷ୍ଟେବଳ ଠକେଇର ଶିକାର!
ଏହି ଠକେଇରେ ପ୍ରାୟ ୨୦ ଜଣ ମହିଳା କନଷ୍ଟେବଳ ଶିକାର ହୋଇଥିବା କୁହାଯାଉଛି। ତେବେ ସାମାଜିକ ଲଜ୍ଜା କିମ୍ବା ଅନ୍ୟ କାରଣରୁ ଅନେକ ମହିଳା ଏପର୍ଯ୍ୟନ୍ତ ପୁଲିସ ନିକଟରେ ଔପଚାରିକ ଅଭିଯୋଗ କରିନାହାନ୍ତି।
ଅନ୍ୟପଟେ, ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ୫ଟି ଏଫ୍ଆଇଆର୍ ରୁଜୁ ହୋଇଥିବା ସୂଚନା ମିଳିଛି। ସେ ପୂର୍ବରୁ ଜାମିନରେ ମୁକୁଳିବା ପରେ ମଧ୍ୟ ଏପରି ଠକେଇ ଜାରି ରଖିଥିବା ଅଭିଯୋଗ ହୋଇଛି।
ସୋସିଆଲ ମିଡିଆରେ ଚର୍ଚ୍ଚା
ଏହି ଘଟଣା ସୋସିଆଲ ମିଡିଆ ଆକାଉଣ୍ଟ ‘ଘରକେକଲେଶ’ରେ ପୋଷ୍ଟ ହେବା ପରେ ବ୍ୟାପକ ଚର୍ଚ୍ଚାକୁ ଆସିଥିଲା। ଅନେକ ୟୁଜର ଅଭିଯୁକ୍ତଙ୍କୁ ବଲିଉଡ୍ ଫିଲ୍ମ ‘ଲେଡିଜ୍ ଭର୍ସେସ୍ ରିକି ବାହଲ୍’ର ରଣବୀର ସିଂହଙ୍କ ଚରିତ୍ର ସହ ତୁଳନା କରିଛନ୍ତି। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ମନ୍ତବ୍ୟ ମଧ୍ୟ ଦେଖିବାକୁ ମିଳୁଛି।
ମାତ୍ର ୨୩ ବର୍ଷ ବୟସରେ ଅଭିଯୁକ୍ତ ଏତେ ସଂଖ୍ୟକ ମହିଳାଙ୍କୁ କିପରି ନିଜ ଜାଲରେ ଫସାଇଲା, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏହି ଘଟଣା ଅନଲାଇନ୍ ପରିଚୟ ଓ ଆକର୍ଷଣୀୟ ଜୀବନଶୈଳୀ ଦେଖି କାହାକୁ ଅନ୍ଧଭାବେ ବିଶ୍ୱାସ କରିବାର ବିପଦକୁ ପୁଣିଥରେ ସାମ୍ନାକୁ ଆଣିଛି।

