ମଧ୍ୟପ୍ରଦେଶ : ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ନେଇ ବୟାନ ଦେଇ ବିବାଦରେ ମଧ୍ୟପ୍ରଦେଶର ରେଓ୍ୱା ଲୋକସଭା ଆସନର ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର। ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସେ ବିଶୁଦ୍ଧ ପେଟ୍ରୋଲ ଦାବି କରୁଥିବା ଲୋକଙ୍କୁ ନେଇ ତାତ୍ସଲ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।
ତାଙ୍କ ମନ୍ତବ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରୁଛି।ରିପୋର୍ଟ ଅନୁସାରେ, ରେଓ୍ୱା ବିମାନବନ୍ଦରରେ ଏକ ୭୨ ସିଟର ବିମାନ ପହଞ୍ଚିବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଜନାର୍ଦ୍ଦନ ମିଶ୍ର ଯୋଗଦେଇଥିଲେ। ଏହି ସମୟରେ ସେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଓ ନୀତି ବିଷୟରେ ନିଜର ମତ ରଖିଥିଲେ।
ଭାଷଣ ସମୟରେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ନୀତିକୁ ସେ ସମର୍ଥନ କରିଥିଲେ। ବ୍ରାଜିଲ ଭଳି ଦେଶରେ ଇଥାନଲର ବ୍ୟବହାର ବହୁଳ ଭାବେ ହେଉଥିବା ଉଦାହରଣ ଦେଇ, ଭାରତରେ ମଧ୍ୟ ଏହାର ବ୍ୟବହାର ବଢ଼ାଯାଇପାରିବ ବୋଲି ସେ କହିଥିଲେ।କିନ୍ତୁ ଏହି ପ୍ରସଙ୍ଗରେ କହୁଥିବା ବେଳେ ବିଶୁଦ୍ଧ ପେଟ୍ରୋଲ ଦାବିକୁ ନେଇ ସାଂସଦଙ୍କ ଏକ ମନ୍ତବ୍ୟ ବିବାଦର କାରଣ ହୋଇଛି। ସେ ବିଶୁଦ୍ଧ ପେଟ୍ରୋଲ ଚାହୁଁଥିବା ଲୋକଙ୍କୁ ପ୍ରଶ୍ନ କରିବା ସହ ଏହା ତାଙ୍କ ବାପାଙ୍କ ଠାରୁ ଆସିବ କି ବୋଲି କହିଥିଲେ।
ଏହି ସମୟରେ ମଞ୍ଚରେ ମଧ୍ୟପ୍ରଦେଶର ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା, ରାଜ୍ୟମନ୍ତ୍ରୀ ପ୍ରତିଭା ବାଗଡ଼ୀ, ସତନା ସାଂସଦ ଗଣେଶ ସିଂଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।ସାଂସଦଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ସୋସିଆଲ ମିଡିଆରେ ମଧ୍ୟ ଅନେକ ନେଟିଜେନ୍ ଏହାକୁ ନେଇ ଆପତ୍ତି ଜଣାଇଛନ୍ତି। କିଛି ଲୋକ ସାଂସଦଙ୍କୁ ଏହି ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଦାବି କରୁଛନ୍ତି।

