ବାତ୍ୟାର ନାଁ ‘ଅର୍ଣ୍ଣବ’ ରଖିଲା କିଏ? ଜାଣନ୍ତୁ ଏହା ପଛର ରୋଚକ କାହାଣୀ

ନୂଆଦିଲ୍ଲୀ, ୨୭।୧୦: ବାତ୍ୟା ଆସିବା ଖବର ଶୁଣିଲେ ଲୋକଙ୍କ ମନରେ ଛନକା ପଶେ। କେଉଁଠି ଲ୍ୟାଣ୍ଡଫଲ୍ କରିବ, କେତେ ବର୍ଷା ହେବ ଏବଂ କେତେ ଜୋରରେ ପବନ ବହିବ, ତାକୁ ନେଇ ଚିନ୍ତା ବଢ଼େ। ହେଲେ ବାତ୍ୟାର ନାଁକୁ ନେଇ ମଧ୍ୟ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠେ। ଏବେ ଚର୍ଚ୍ଚାରେ ରହିଛି ବାତ୍ୟା ‘ଅର୍ଣ୍ଣବ’। ତେବେ ଏହି ନାଁ କିଏ ଦେଇଛି? ଏହାର ଅର୍ଥ କ’ଣ? ବାତ୍ୟାର ନାମକରଣ ପାଇଁ କ’ଣ ରହିଛି ନିୟମ?

ବାଂଲାଦେଶ ଦେଇଛି ‘ଅର୍ଣ୍ଣବ’ ନାଁ

ବାତ୍ୟା ‘ଅର୍ଣ୍ଣବ’ର ନାମକରଣ କରିଛି ବାଂଲାଦେଶ। ‘ଅର୍ଣ୍ଣବ’ ଶବ୍ଦର ଅର୍ଥ ସମୁଦ୍ର ବା ମହାସାଗର। ତେବେ ବାତ୍ୟାର ନାଁ ରଖିବା ପଛରେ କୌଣସି ମନଇଚ୍ଛା ନିଷ୍ପତ୍ତି ନଥାଏ। ଏଥିପାଇଁ ରହିଛି ଏକ ସୁବ୍ୟବସ୍ଥିତ ଆଞ୍ଚଳିକ ପ୍ରକ୍ରିୟା।

ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବାତ୍ୟାଗୁଡ଼ିକର ନାମକରଣ ପାଇଁ ଭାରତ ସମେତ ୧୩ଟି ଦେଶ ଏହି ବ୍ୟବସ୍ଥାରେ ସାମିଲ ଅଛନ୍ତି। ପ୍ରତ୍ୟେକ ଦେଶ ଆଗୁଆ ବାତ୍ୟା ପାଇଁ କିଛି ନାଁ ପ୍ରସ୍ତାବ ଦେଇଥାନ୍ତି। ଏହି ନାମଗୁଡ଼ିକୁ ନେଇ ଏକ ତାଲିକା ପ୍ରସ୍ତୁତ ହୁଏ। ପରେ ନିର୍ଦ୍ଦିଷ୍ଟ କ୍ରମ ଅନୁଯାୟୀ ନୂଆ ବାତ୍ୟା ପାଇଁ ନାଁ ଚୟନ କରାଯାଏ।

କାହିଁକି ରଖାଯାଏ ବାତ୍ୟାର ନାଁ?

ବାତ୍ୟାର ନାମକରଣ କରିବା ପଛରେ ରହିଛି ଏକ ବଡ଼ ଉଦ୍ଦେଶ୍ୟ। ନାଁ ଦ୍ୱାରା ଏକ ବାତ୍ୟାକୁ ସହଜରେ ଚିହ୍ନଟ କରିବା ସହ ଏହା ସମ୍ପର୍କିତ ସୂଚନା ଲୋକଙ୍କ ପାଖରେ ଶୀଘ୍ର ପହଞ୍ଚାଇବା ସମ୍ଭବ ହୁଏ।

ବାତ୍ୟାର ନାଁ ରହିଲେ ପାଣିପାଗ ବିଭାଗ, ସରକାରୀ ପ୍ରଶାସନ, ଗଣମାଧ୍ୟମ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଯୋଗାଯୋଗ ସହଜ ହୋଇଥାଏ। ଏଥିସହ ଏକାଧିକ ବାତ୍ୟା ବିଷୟରେ ଆଲୋଚନା କରିବା ସମୟରେ ଦ୍ୱନ୍ଦ୍ୱ ଦୂର ହୁଏ। ବିପଦ ସମ୍ପର୍କିତ ସତର୍କ ସୂଚନା ଏବଂ ଜରୁରୀ ବାର୍ତ୍ତା ପ୍ରସାରଣରେ ମଧ୍ୟ ଏହା ବେଶ୍ ସହାୟକ ହୋଇଥାଏ।

ତେଣୁ ବାତ୍ୟାର ନାମକରଣ କେବଳ ଏକ ପରିଚୟ ନୁହେଁ, ବରଂ ପାଣିପାଗ ସମ୍ପର୍କିତ ସୂଚନାର ସଠିକ୍ ଆଦାନପ୍ରଦାନ ଏବଂ ଜନସାଧାରଣଙ୍କୁ ସତର୍କ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ