ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଅନୁଭୂତ ହେବ ଶୀତର ପ୍ରକୋପ। ଏବେ ଯଦିଓ ରାଜ୍ୟରେ ସେଭଳି ଥଣ୍ଡା ଅନୁଭବ ହେଉନାହିଁ, ତେବେ ଆଗାମୀ କିଛି ଦିନ ମଧ୍ୟରେ ପାଗରେ ବଡ଼ ପରିବର୍ତ୍ତନ ଆସିବ। ରାତି ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଫଳରେ ରାଜ୍ୟରେ ଶୀତର ପ୍ରଭାବ ବଢ଼ିବ। ଏଭଳି ଆକଳନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୪ ଦିନ ମଧ୍ୟରେ ରାତି ତାପମାତ୍ରା କମିବା ସହ ଶୀତ ବଢ଼ିବ। ନଭେମ୍ବର ୨୬ ତାରିଖ ବେଳକୁ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଏବଂ ଫୁଲବାଣୀରେ ୧୪ ଡିଗ୍ରୀ ରହିବା ସମ୍ଭାବନା ରହିଛି।
ସେହିପରି କଟକ ଓ ଭୁବନେଶ୍ୱର ସମେତ ବାଲେଶ୍ୱର ଏବଂ ଭଦ୍ରକରେ ରାତି ତାପମାତ୍ରା ୧୮ରୁ ୧୯ ଡିଗ୍ରୀ ମଧ୍ୟରେ ରହିପାରେ। ଏହା ସହ ରାଜ୍ୟରେ ପାଗ ଶୁଖିଲା ରହିବ। ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ।
୩ ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା
ଶୀତ ବଢ଼ିବା ସହ କିଛି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ। ସୋମବାର ସକାଳ ଓ ରାତି ସମୟରେ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାରେ ମଧ୍ୟମରୁ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।
ଏବେ କେମିତି ରହିଛି ତାପମାତ୍ରା?
ଶନିବାର ରାତିର ତାପମାତ୍ରା ଉପରେ ନଜର ପକାଇଲେ, ଅଧିକାଂଶ ସ୍ଥାନରେ ପାରଦ ୨୦ ଡିଗ୍ରୀ ଉପରେ ରହିଥିଲା। କୋରାପୁଟରେ ୧୫.୨ ଡିଗ୍ରୀ, ବୌଦ୍ଧରେ ୧୬.୨ ଡିଗ୍ରୀ, ନୂଆପଡ଼ାରେ ୧୭ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୧୭ ଡିଗ୍ରୀ ଏବଂ ଫୁଲବାଣୀରେ ୧୮ ଡିଗ୍ରୀ ରେକର୍ଡ ହୋଇଥିଲା।
ଅନ୍ୟପଟେ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଥିଲା। ଦିନର ତାପମାତ୍ରା ମଧ୍ୟ ପ୍ରାୟ ୩୦ରୁ ୩୨ ଡିଗ୍ରୀ ମଧ୍ୟରେ ରହୁଛି। ତେବେ ଆଗାମୀ ୪ ଦିନରେ ପାରଦ ଖସିବା ପରେ ରାଜ୍ୟବାସୀ ଶୀତର ପ୍ରକୋପ ଅନୁଭବ କରିବେ।

