ଭୁବନେଶ୍ୱର: ବସ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ରାଜ୍ୟରେ ବଢ଼ିଛି ସମସ୍ତ ବର୍ଗର ବସ୍ ଭଡ଼ା। ସାଧାରଣ ବସ୍ଠାରୁ ଆରମ୍ଭ କରି ଏସି ଡିଲକ୍ସ ଓ ସୁପର ପ୍ରିମିୟମ୍ ବସ୍ ପର୍ଯ୍ୟନ୍ତ ଭଡ଼ା ବୃଦ୍ଧି କରିଛନ୍ତି ସରକାର। ଏନେଇ ଗୁରୁବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନୂଆ ବସ୍ ଭଡ଼ା ତାଲିକା ଜାରି କରାଯାଇଛି। ନୂଆ ଦର ଲାଗୁ ହେବା ପରେ ଯାତ୍ରୀଙ୍କୁ ଏଣିକି ବସ୍ ଯାତ୍ରା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ବିଭାଗର ନୂଆ ନିର୍ଦ୍ଦେଶ ଅନୁଯାୟୀ, ଅର୍ଡିନାରୀ ବସ୍ରେ କିଲୋମିଟର ପିଛା ଭଡ଼ା ୯୨ ପଇସାରୁ ବଢ଼ି ୧ ଟଙ୍କା ୧୮ ପଇସା ହୋଇଛି। ଏକ୍ସପ୍ରେସ୍ ବସ୍ର ଭଡ଼ା ୯୬ ପଇସା ବଦଳରେ ଏବେ ୧ ଟଙ୍କା ୨୪ ପଇସା ଦେବାକୁ ପଡ଼ିବ। ସେହିପରି ପ୍ରଥମ ଥର ପାଇଁ ଭଡ଼ା ତାଲିକାରେ ସେମି ଡିଲକ୍ସ ବସ୍କୁ ସାମିଲ କରାଯାଇଛି। ଏହି ବସ୍ର କିଲୋମିଟର ପିଛା ଭଡ଼ା ୧ ଟଙ୍କା ୩୦ ପଇସା ରଖାଯାଇଛି।
ସେହିପରି ଡିଲକ୍ସ ବସ୍ରେ କିଲୋମିଟର ପିଛା ଭଡ଼ା ୧ ଟଙ୍କା ୩୫ ପଇସାରୁ ବଢ଼ି ୧ ଟଙ୍କା ୪୧ ପଇସା ହୋଇଛି। ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୬୩ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୯୯ ପଇସାରେ ପହଞ୍ଚିଛି।
ଅନ୍ୟପଟେ ସୁପର ପ୍ରିମିୟମ୍ ବସ୍ରେ ଯାତ୍ରା କରିବା ମଧ୍ୟ ମହଙ୍ଗା ହୋଇଛି। ଏହି ବର୍ଗର ବସ୍ର ଭଡ଼ା ୨ ଟଙ୍କା ୫୩ ପଇସାରୁ ବଢ଼ି ୩ ଟଙ୍କା ୨୧ ପଇସା ହୋଇଛି। ସୁପର ପ୍ରିମିୟମ୍ ଡିଲକ୍ସ ବସ୍ରେ କିଲୋମିଟର ପିଛା ୪ ଟଙ୍କା ୬୧ ପଇସା ଦେବାକୁ ପଡ଼ିବ। ପୂର୍ବରୁ ଏହି ଭଡ଼ା ୩ ଟଙ୍କା ୫୦ ପଇସା ଥିଲା। ସେହିପରି ସ୍ଲିପର ଏସି କୋଚ୍ ପାଇଁ ମଧ୍ୟ କିଲୋମିଟର ପିଛା ୪ ଟଙ୍କା ୬୧ ପଇସା ଧାର୍ଯ୍ୟ ହୋଇଛି।
ସୂଚନାଯୋଗ୍ୟ, ବସ୍ର ମରାମତି, ରକ୍ଷଣାବେକ୍ଷଣ, ବୀମା ଏବଂ ଯନ୍ତ୍ରାଂଶର ମୂଲ୍ୟ ବଢ଼ିବା ସହ ପରିଚାଳନା ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି। ଏହାକୁ ଆଧାର କରି ଦୀର୍ଘଦିନ ଧରି ଘରୋଇ ବସ୍ ମାଲିକ ସଂଘ ଭଡ଼ା ବୃଦ୍ଧି ପାଇଁ ଦାବି କରିଆସୁଥିଲା। ଶେଷରେ ଏହି ଦାବିକୁ ବିଚାରକୁ ନେଇ ସରକାର ବସ୍ ଭଡ଼ା ସଂଶୋଧନ କରିଛନ୍ତି।

