ଅବପାତଜନିତ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବଢ଼ିଛି ଚିନ୍ତା। ଅଧିକାଂଶ ଜିଲ୍ଲାରେ ଜଳବନ୍ଦୀ ସ୍ଥିତି ଲାଗି ରହିବାର ଆଶଙ୍କା ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଜଳକା, ସାଳନ୍ଦୀ ଓ ବୈତରଣୀ ନଦୀ ଉପରେ ନଜର ରଖାଯାଇଛି।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା ଅନୁସାରେ, ତଳିଆ ଅଞ୍ଚଳରେ ଠିକ୍ ଭାବେ ଜଳ ନିଷ୍କାସନ ହୋଇନପାରିଲେ ଜଳବନ୍ଦୀ ସମସ୍ୟା ଆହୁରି ବଢ଼ିପାରେ। ତେବେ ବର୍ତ୍ତମାନ ସ୍ଥିତିରେ ବଡ଼ ଧରଣର ବନ୍ୟା ଆଶଙ୍କା ନଥିବା ସେ ସ୍ପଷ୍ଟ କରିଛନ୍ତି।ବର୍ଷା ଯୋଗୁଁ ତିହିଡ଼ି, ଚାନ୍ଦବାଲି, ବାଲେଶ୍ୱର ସଦର, ବସ୍ତା ଓ ଦଶରଥପୁର ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଲାଗି ରହିବାର ଆଶଙ୍କା ରହିଛି। ଲଘୁଚାପ ପ୍ରଭାବରେ ଏହି ଅଞ୍ଚଳଗୁଡ଼ିକରେ ଅଧିକ ବର୍ଷା ହୋଇଥିବାରୁ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଇଛି।ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିଛି। ରାଜ୍ୟର ୧୭ଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଫଳରେ ନଦୀଗୁଡ଼ିକର ଉପରମୁଣ୍ଡରେ ଜଳପ୍ରବାହ ବଢ଼ିଛି।
ତେବେ ବୁଢ଼ାବଳଙ୍ଗ ନଦୀରେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ। ସେହିପରି ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ମଧ୍ୟ ବର୍ତ୍ତମାନ ବନ୍ୟା ସମ୍ଭାବନା ନଥିବା କୁହାଯାଇଛି।ମହାନଦୀରେ ନାହିଁ ବଡ଼ ବନ୍ୟା ଆଶଙ୍କା । ମହାନଦୀରେ ମଧ୍ୟ ବର୍ତ୍ତମାନ ସେଭଳି ବନ୍ୟା ସ୍ଥିତି ନାହିଁ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୪ ଫୁଟକୁ ଖସିଆସିଛି। ଜଳସ୍ତର ନିୟନ୍ତ୍ରଣ ପାଇଁ ସକାଳେ ୪ଟି ଗେଟ୍ ବନ୍ଦ କରାଯାଇଥିବା ବେଳେ ୨ଟି ଗେଟ୍ ଖୋଲା ରହିଛି।ଏହା ଫଳରେ ମହାନଦୀ ଅବବାହିକାରେ ବର୍ତ୍ତମାନ ବଡ଼ ଧରଣର ବନ୍ୟା ଆଶଙ୍କା ନଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଉତ୍ତର ଓଡ଼ିଶାର ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପରେ ପ୍ରଶାସନର ନଜର ରହିଛି।

