ବେଙ୍ଗାଲୁରୁ, ୧୭/୦୯: କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ଘଟିଛି ଚାଞ୍ଚଲ୍ୟକର ଡବଲ୍ ମର୍ଡର। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଭିତରେ ବାପ-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି। ବୁଧବାର ଓରାଡ଼ି ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ମୃତକ ଦୁଇଜଣ ହେଲେ ପୂର୍ବତନ ସୈନିକ ରୁଦ୍ରପ୍ପା କୁନ୍ଦରଗୀ ଏବଂ ତାଙ୍କ ୨୬ ବର୍ଷୀୟା ଝିଅ ଶଶିକଳା କୁନ୍ଦରଗୀ। ସେମାନେ ଧାରୱାଡ଼ର ସଭୁରରେ ରହୁଥିଲେ।
ସମ୍ପତ୍ତି ବିବାଦକୁ ନେଇ ହତ୍ୟା!
ସୂଚନା ଅନୁସାରେ, ସମ୍ପତ୍ତି ବିବାଦ ସହ ଜଡ଼ିତ ଦସ୍ତାବିଜ ଦାଖଲ କରିବା ଏବଂ ଆରଟିସି ରେକର୍ଡରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରିବା ଉଦ୍ଦେଶ୍ୟରେ ରୁଦ୍ରପ୍ପା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତାଙ୍କ ଭାଇ ବସପ୍ପା, ସଙ୍ଗପ୍ପା ଏବଂ ଝିଆରୀ ମଦିଭଲପ୍ପା ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ବାପାଙ୍କ ଉପରେ ଆକ୍ରମଣ ହେଉଥିବା ଦେଖି ଶଶିକଳା ତାଙ୍କୁ ବଞ୍ଚାଇବାକୁ ଆସିଥିଲେ। ଏହି ସମୟରେ ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ ହିଁ ବାପ-ଝିଅଙ୍କ ମୃତ୍ୟୁ ହୋଇଥିଲା।
ପଞ୍ଚାୟତ କର୍ମଚାରୀ କରିଥିଲେ ଭିଡିଓ
ଦିନ ପ୍ରାୟ ୧୨ଟା ସମୟରେ ଏହି ଆକ୍ରମଣ ଘଟିଥିଲା। ଘଟଣା ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା କିଛି କର୍ମଚାରୀ ଘଟଣାର ଭିଡିଓ କରିଥିବା ଜଣାପଡ଼ିଛି।
ଖବର ପାଇ ସ୍ଥାନୀୟ ସବ୍-ଇନ୍ସପେକ୍ଟର, ବୈଲହୋଙ୍ଗଲ ଡିଏସ୍ପିଙ୍କ ସମେତ ପୁଲିସ ଟିମ୍ ପ୍ରାୟ ୧ଟା ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
ପୁଲିସର ପ୍ରାଥମିକ ସୂଚନା ଅନୁସାରେ, ୩୮ ଗୁଣ୍ଠ ଜମିକୁ ନେଇ ଦୀର୍ଘଦିନ ଧରି ପାରିବାରିକ ବିବାଦ ରହିଥିଲା। ତିନି ଭାଇଙ୍କ ମଧ୍ୟରେ ଜମି ବାଣ୍ଟିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ତେବେ ରୁଦ୍ରପ୍ପା ଧାରୱାଡ଼ରେ ପରିବାର ସହ ରହୁଥିବାରୁ ତାଙ୍କ ଦୁଇ ଭାଇ ତାଙ୍କୁ ଜମି ଦେବାକୁ ରାଜି ନଥିବା କୁହାଯାଉଛି। ରୁଦ୍ରପ୍ପା ନିଜ ଭାଗ ଦାବି କରିବା ପରେ ବିବାଦ ଆହୁରି ତୀବ୍ର ହୋଇଥିଲା।

