ଦୀପାବଳିରେ ଫୁଟିବ ବାଣ : ଅନୁମତି ଦେଲେ ସୁପ୍ରିମ କୋର୍ଟ

ଦିଲ୍ଲୀ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଦୀର୍ଘଦିନ ଧରି ରହିଥିବା ଦ୍ୱନ୍ଦ୍ୱରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଦିଲ୍ଲୀ-ଏନସିଆରବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଚଳିତବର୍ଷ ଦୀପାବଳିରେ ସବୁଜ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ଅସ୍ଥାୟୀ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ଓ ସମୟସୀମା ଧାର୍ଯ୍ୟ କରାଯାଇଛି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ନଭେମ୍ବର ୭ ଓ ୮ ତାରିଖରେ ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ଲୋକେ ସବୁଜ ବାଣ ଫୁଟାଇପାରିବେ। କିନ୍ତୁ ହସ୍ପିଟାଲ, ନର୍ସିଂହୋମ, ସ୍କୁଲ, ବୃଦ୍ଧାଶ୍ରମ ଏବଂ ନିରବ ଅଞ୍ଚଳର ୩୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଇବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିବ।

ସେହିପରି କେବଳ CSIR-NEERI ଏବଂ PESO ଦ୍ୱାରା ଅନୁମୋଦିତ ନିର୍ମାତାମାନେ ନଭେମ୍ବର ୨ରୁ ୬ ତାରିଖ ମଧ୍ୟରେ ସବୁଜ ବାଣ ଉତ୍ପାଦନ କରିପାରିବେ। ପ୍ରତ୍ୟେକ ବାଣ ପ୍ୟାକେଟ୍‌ରେ ଉତ୍ପାଦ ଓ ବ୍ୟାଚ୍‌ ସମ୍ପର୍କିତ QR କୋଡ୍ ରହିବା ବାଧ୍ୟତାମୂଳକ। ଏହାଦ୍ୱାରା ବାଣର ଗୁଣବତ୍ତା ଓ ପ୍ରାମାଣିକତା ଯାଞ୍ଚ କରାଯାଇପାରିବ।

ଅନ୍ୟପଟେ ବେରିୟମ୍‌ଯୁକ୍ତ ବାଣ ଏବଂ ଅନଲାଇନ୍‌ରେ ବାଣ ବିକ୍ରି ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ। କେବଳ ପ୍ରଶାସନ ଚିହ୍ନଟ କରିଥିବା ସ୍ଥାନରେ ହିଁ ବାଣ ବିକ୍ରି କରାଯାଇପାରିବ। ନିୟମ ଉଲ୍ଲଂଘନ କରି ବେଆଇନ ବାଣ ବିକ୍ରି କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ।

ପ୍ରଦୂଷଣ ନିୟନ୍ତ୍ରଣ ଓ ନିୟମର ଅନୁପାଳନ ଉପରେ ପ୍ରଶାସନ କଡ଼ା ନଜର ରଖିବ। ଏଥିସହିତ ଦୀପାବଳି ପରେ ପ୍ରଦୂଷଣର ସ୍ଥିତି ଏବଂ ହସ୍ପିଟାଲଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଏହି ସମସ୍ତ ତଥ୍ୟକୁ ଡିସେମ୍ବର ୧୪ ସୁଦ୍ଧା ସୁପ୍ରିମକୋର୍ଟରେ ଦାଖଲ କରିବାକୁ କୁହାଯାଇଛି।

ସମ୍ପୂର୍ଣ୍ଣ କଟକଣା ନୁହେଁ, ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ଏହା ପୂର୍ବରୁ ବାଣ ବିକ୍ରି ଓ ବ୍ୟବହାର ଉପରେ ଲାଗିଥିବା କଟକଣାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଇ ନ ଥିବାରୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଏବଂ କମିସନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟକୁ ଭର୍ତ୍ସନା କରିଥିଲେ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ମତରେ, ପ୍ରଦୂଷଣ ରୋକିବା ନାଁରେ ପାର୍ବଣ ସମୟରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଦେବା ଏକମାତ୍ର ସମାଧାନ ନୁହେଁ। ଏହା ବଦଳରେ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବା ଜରୁରୀ। ଏହି ନିଷ୍ପତ୍ତି ପରେ ଦୀପାବଳିରେ ସବୁଜ ବାଣ ଫୁଟାଇବାକୁ ନେଇ ଦିଲ୍ଲୀବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ