ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା, ୧୫ ତାରିଖରେ ହୋଇପାରେ ଅବପାତ

ଭୁବନେଶ୍ୱର, ୬/୧୧ : ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସଙ୍କେତ ମିଳିଛି। ପାଣିପାଗ ବିଭାଗର ବିଭିନ୍ନ ମଡେଲର ଆକଳନ ଅନୁସାରେ, ନଭେମ୍ବର ୧୧ ତାରିଖ ଆଡ଼କୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ୧୩ ତାରିଖ ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି।

କେବଳ ସେତିକି ନୁହେଁ, ଏହି ଲଘୁଚାପ ଅଧିକ ଶକ୍ତିଶାଳୀ ହେଲେ ୧୫ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ। ତେବେ ଏହାର ତୀବ୍ରତା ଓ ଗତିପଥ ସମ୍ପର୍କରେ ବର୍ତ୍ତମାନଠାରୁ ନିଶ୍ଚିତ ଭାବେ କିଛି କହିବା ସମ୍ଭବ ହୋଇନାହିଁ।

ପାଣିପାଗ ବିଶେଷଜ୍ଞଙ୍କ ମତରେ, ନଭେମ୍ବର ମାସରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଅଧିକାଂଶ ଲଘୁଚାପ ଓ ବାତ୍ୟା ସାଧାରଣତଃ ଓଡ଼ିଶା ଉପକୂଳ ଅପେକ୍ଷା ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁ ଉପକୂଳ ଆଡ଼କୁ ଗତି କରିଥାଏ। ବର୍ତ୍ତମାନର ମଡେଲ ଆକଳନରେ ମଧ୍ୟ ଏହା ଓଡ଼ିଶା ଆଡ଼କୁ ମୁହାଁଇବାର ସମ୍ଭାବନା କମ୍ ରହିଛି। ତେବେ ଏହା ମିଆଁମାର ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନାହିଁ।

ଅନ୍ୟପଟେ ରାଜ୍ୟର ପାଣିପାଗକୁ ନେଇ ବିଭାଗର ଆକଳନ ଅନୁସାରେ, ଆସନ୍ତା ଦୁଇଦିନ ଅର୍ଥାତ୍ ଶୁକ୍ରବାର ଓ ଶନିବାର ଓଡ଼ିଶାରେ ବଡ଼ ଧରଣର ବର୍ଷା ହେବାର ସମ୍ଭାବନା ନାହିଁ। କେବଳ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।

ସେହିପରି ନଭେମ୍ବର ୮ ତାରିଖ ଦୀପାବଳି ଦିନ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବା ନେଇ ଆକଳନ କରାଯାଇଛି। ଆଗାମୀ ତିନିଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଫଳରେ ରାଜ୍ୟରେ ଶୀତର ପ୍ରଭାବ ଧୀରେ ଧୀରେ ବଢ଼ିବା ସମ୍ଭାବନା ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ