ଦାରିଙ୍ଗବାଡ଼ି: ବିନା କୌଣସି ବ୍ୟୟବହୁଳ କୋଚିଂରେ ନିଜ ଉଦ୍ୟମ ଓ କଠିନ ପରିଶ୍ରମ ବଳରେ ଜାତୀୟ ସ୍ତରରେ ସଫଳତା ହାସଲ କରିଛନ୍ତି କନ୍ଧମାଳ ଜିଲ୍ଲାର ମୋନାଲିସା ସାହୁ। UPSC ଦ୍ୱାରା ପରିଚାଳିତ ମିଳିତ ଭୂ-ବୈଜ୍ଞାନିକ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ୧୬ତମ ସ୍ଥାନ ହାସଲ କରି ଜଳଭୂତତ୍ତ୍ୱବିତ୍ ଭାବେ ଚୟନ ହୋଇଛନ୍ତି। ତାଙ୍କର ଏହି ସଫଳତା ଜିଲ୍ଲା ସମେତ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛି।
ମୋନାଲିସାଙ୍କ ଘର ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ଅନ୍ତର୍ଗତ ଦଣ୍ଡିମା ଗ୍ରାମରେ। ପିଲାଦିନରୁ ପାଠପଢ଼ା ପ୍ରତି ଆଗ୍ରହୀ ଥିବା ମୋନାଲିସା ଗାଁର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିଲେ। ପରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଓ ଓଡ଼ଗାଁରେ ଅଧ୍ୟୟନ କରିଥିଲେ। ମାଟ୍ରିକ୍ ପରେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲେ।
ପରବର୍ତ୍ତୀ ସମୟରେ ବ୍ରହ୍ମପୁରର ଖଲ୍ଲିକୋଟ କଲେଜରୁ ସ୍ନାତକ ଓ ଭୂତତ୍ତ୍ୱ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ। ଏମ୍ଏସ୍ସି ପରୀକ୍ଷାରେ ବିଶ୍ୱବିଦ୍ୟାଳୟ ଟପ୍ପର ହେବା ସହ ସ୍ୱର୍ଣ୍ଣପଦକ ହାସଲ କରିଥିଲେ।
ତାଙ୍କ ସଫଳତାର ବିଶେଷତ୍ୱ ହେଉଛି, ସେ କୌଣସି ନାମୀଦାମୀ କୋଚିଂ ସଂସ୍ଥାର ସହାୟତା ନେଇନଥିଲେ। ଘରେ ରହି ନିୟମିତ ପାଠପଢ଼ା ସହ ଇଣ୍ଟରନେଟ୍ ଓ ଡିଜିଟାଲ୍ ପ୍ଲାଟଫର୍ମର ଉପଯୋଗ କରି ପ୍ରସ୍ତୁତି ନେଇଥିଲେ। ତାଙ୍କର ଏହି ସଫଳତା ଅନ୍ୟ ଆଶାୟୀଙ୍କୁ ଆତ୍ମବିଶ୍ୱାସ ଓ ପରିଶ୍ରମର ବାର୍ତ୍ତା ଦେଉଛି।

