ଭୁବନେଶ୍ୱର: ଚଳିତ ବର୍ଷ ଦୁର୍ଗାପୂଜାରେ ରାଜଧାନୀ ଭୁବନେଶ୍ୱରରେ ପୂଜା ମଣ୍ଡପ ବୁଲିବେ ନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଚଳିତ ବର୍ଷ ଦୁର୍ଗାପୂଜାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।
ବର୍ଷା ଓ ବନ୍ୟାରେ ଚାଷୀଙ୍କ ବ୍ୟାପକ କ୍ଷତି
ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ବିଶେଷକରି ଚାଷୀମାନେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷଜମିରେ ପାଣି ଜମିବା ସହ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀଙ୍କ ଚିନ୍ତା ବଢ଼ିଛି। ଏଭଳି ସଙ୍କଟଜନକ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା
ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣ ଓ ଚାଷୀଙ୍କ ପ୍ରତି ସମବେଦନା ଜଣାଇ ଚଳିତ ବର୍ଷ ଦଶହରାରେ କୌଣସି ପୂଜା ମଣ୍ଡପକୁ ଯାଇ ଦର୍ଶନ କିମ୍ବା ବୁଲାବୁଲି କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ରାଜ୍ୟରେ ବନ୍ୟା ଓ ବର୍ଷାଜନିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ ଅପେକ୍ଷା ବିପଦରେ ପଡ଼ିଥିବା ଲୋକଙ୍କ ଦୁଃଖ ଓ ସମସ୍ୟାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

