ଭୁବନେଶ୍ୱର, ୧୧।୧୦: ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ଧୀରେ ଧୀରେ ଉତ୍ତର ଆଣ୍ଡାମାନ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ରହିବ ନାହିଁ ବୋଲି ପାଣିପାଗ ଆକଳନରୁ ଜଣାପଡ଼ିଛି।
ଦଶହରାରେ ପାଗ ଶୁଖିଲା ରହିବା ସମ୍ଭାବନା
ସମ୍ଭାବ୍ୟ ଲଘୁଚାପ ଯୋଗୁଁ ରାଜ୍ୟରେ ଲଗାଣ ବର୍ଷା କିମ୍ବା ବଡ଼ ଧରଣର ବର୍ଷା ହେବାର ଆଶଙ୍କା କମ୍ ରହିଛି। ଫଳରେ ଦଶହରା ସମୟରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ। ତେବେ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ମଝିରେ ମଝିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
୧୩ରୁ ଉପକୂଳ ଓଡ଼ିଶାରେ ବର୍ଷା
ପାଣିପାଗ ଆକଳନ ଅନୁଯାୟୀ, ଟ୍ରଫ୍ଲାଇନ୍ ଏବଂ ପୂର୍ବ ଦିଗରୁ ପବନ ପ୍ରବାହ ଯୋଗୁଁ ଅକ୍ଟୋବର ୧୩ ତାରିଖରୁ ରାଜ୍ୟର ପାଗରେ ପରିବର୍ତ୍ତନ ହୋଇପାରେ। ୧୩ ତାରିଖ ରାତିରୁ ୧୫ ତାରିଖ ରାତି କିମ୍ବା ୧୬ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।
ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଏହା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି। କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇପାରେ।
୧୪ରୁ ୧୬ ମଧ୍ୟରେ ଲଘୁଚାପ ଅଧିକ ସଂଗଠିତ ହେବା ସମ୍ଭାବନା
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ୧୩ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ୧୪ରୁ ୧୬ ତାରିଖ ମଧ୍ୟରେ ଏହା ଅଧିକ ସଂଗଠିତ ହୋଇପାରେ। ଏହା କେନ୍ଦ୍ରୀୟ କିମ୍ବା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିପାରେ। ତେବେ ଅକ୍ଟୋବର ୧୬ ତାରିଖ ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବା ସହ ପାଗ ଶୁଖିଲା ହେବାର ସମ୍ଭାବନା ରହିଛି।
ତାପମାତ୍ରାରେ ବଡ଼ ପରିବର୍ତ୍ତନ ନାହିଁ
ଆସନ୍ତା ପାଞ୍ଚ ଦିନ ମଧ୍ୟରେ ରାଜ୍ୟର ଦିନ ଓ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପର ଗତିବିଧି ଏବଂ ପରବର୍ତ୍ତୀ ପାଣିପାଗ ସ୍ଥିତି ଉପରେ ନଜର ରହିଛି।

