ମୁମ୍ବାଇ, ୮/୧୦: ବଲିଉଡର ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ପରଲୋକ। ୭୫ ବର୍ଷ ବୟସରେ ଗୋଆସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ହୃଦ୍ଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି। ଗୁରୁବାର ସକାଳ ପ୍ରାୟ ୫ଟା ୨୦ରେ ତାଙ୍କୁ ହୃଦ୍ଘାତ ହୋଇଥିଲା। ତାଙ୍କୁ ପ୍ରାୟ ୪୫ ମିନିଟ୍ ଧରି ସିପିଆର୍ ଦିଆଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଘଟଣାକୁ ନେଇ ମେଡିକୋ-ଲିଗାଲ୍ କେସ୍ ମଧ୍ୟ ରୁଜୁ ହୋଇଥିବା ସୂଚନା ମିଳିଛି।
ନାନା ପାଟେକର କେବଳ ଜଣେ ସଫଳ ଅଭିନେତା ନଥିଲେ, ତାଙ୍କ ଜୀବନ ସଂଘର୍ଷ ମଧ୍ୟ ଅନେକଙ୍କ ପାଇଁ ପ୍ରେରଣାଦାୟୀ। ଅଭିନୟ ଜଗତରେ ପାଦ ରଖିବା ପୂର୍ବରୁ ସେ ଆର୍ଥିକ ଅଭାବ ମଧ୍ୟରେ ପାଠପଢ଼ା ଜାରି ରଖିଥିଲେ। ଆସନ୍ତୁ ଜାଣିବା ତାଙ୍କ ଶିକ୍ଷା, ପ୍ରକୃତ ନାମ ଏବଂ ଜୀବନର କିଛି ଅଜଣା କଥା।
ଆର୍ଥିକ ଅଭାବ ମଧ୍ୟରେ ପାଠପଢ଼ା
ନାନା ପାଟେକରଙ୍କ ପିଲାଦିନ ଆର୍ଥିକ ସଂଘର୍ଷ ମଧ୍ୟରେ କଟିଥିଲା। ମୁମ୍ବାଇର ସମର୍ଥ ବିଦ୍ୟାଳୟରୁ ସେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ମାତ୍ର ୧୩ ବର୍ଷ ବୟସରୁ ପରିବାରକୁ ସହାୟତା କରିବା ସହ ନିଜ ପାଠପଢ଼ା ଖର୍ଚ୍ଚ ଉଠାଇବା ପାଇଁ କାମ କରିବା ଆରମ୍ଭ କରିଥିଲେ।
ସେତେବେଳେ ମୁମ୍ବାଇର ବିଭିନ୍ନ ରାସ୍ତାକଡ଼ରେ ସିନେମାର କଟ୍-ଆଉଟ୍, ପୋଷ୍ଟର ଓ ବିଲ୍ବୋର୍ଡ ଆଙ୍କି ସେ ଟଙ୍କା ରୋଜଗାର କରୁଥିଲେ। ଏହି କାମ ତାଙ୍କ ସଂଘର୍ଷମୟ ଜୀବନର ଏକ ବଡ଼ ଅଧ୍ୟାୟ ଥିଲା।
ଆର୍ଟ କଲେଜରେ ପାଠପଢ଼ା
ସ୍କୁଲ୍ ଶିକ୍ଷା ପରେ ନାନା ପାଟେକର ମୁମ୍ବାଇର ପ୍ରତିଷ୍ଠିତ ସାର୍ ଜେ.ଜେ. ସ୍କୁଲ୍ ଅଫ୍ ଆର୍ଟ ଏବଂ ସାର୍ ଜେ.ଜେ. ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆପ୍ଲାଏଡ୍ ଆର୍ଟରେ ପଢ଼ିଥିଲେ। ସେଠାରୁ ସେ ଆପ୍ଲାଏଡ୍ ଆର୍ଟରେ ଡିପ୍ଲୋମା ହାସଲ କରିଥିଲେ।
ପାଠପଢ଼ା ଶେଷ କରିବା ପରେ ସେ କିଛି ସମୟ ପାଇଁ ଜଣେ କମର୍ସିଆଲ୍ ଆର୍ଟିଷ୍ଟ ଭାବେ ଏକ ବିଜ୍ଞାପନ ଏଜେନ୍ସିରେ କାମ କରିଥିଲେ। କିନ୍ତୁ ପରେ ଅଭିନୟ ପ୍ରତି ତାଙ୍କ ଆଗ୍ରହ ବଢ଼ିବାରୁ ସେ ଏହି ଚାକିରି ଛାଡ଼ି ଅଭିନୟ ଦୁନିଆରେ ପାଦ ରଖିଥିଲେ।
ନାନା ନୁହେଁ, ଏହା ଥିଲା ତାଙ୍କ ପ୍ରକୃତ ନାମ
ପରଦାରେ ‘ନାନା ପାଟେକର’ ନାମରେ ସାରା ଦେଶରେ ପରିଚିତ ହୋଇଥିଲେ ମଧ୍ୟ ତାଙ୍କ ପ୍ରକୃତ ନାମ ଥିଲା ବିଶ୍ୱନାଥ ପାଟେକର। ପିଲାଦିନରୁ ତାଙ୍କ ସାନ ଭଉଣୀ ତାଙ୍କୁ ‘ନାନା’ ବୋଲି ଡାକୁଥିଲେ। ପରବର୍ତ୍ତୀ ସମୟରେ ଏହି ଡାକନାମ ହିଁ ତାଙ୍କର ସାର୍ବଜନୀନ ପରିଚୟ ପାଲଟିଯାଇଥିଲା।
ଅଭିନୟ କ୍ଷେତ୍ରରେ ନାନା ପାଟେକରଙ୍କ ଦୀର୍ଘ ଯାତ୍ରା ପଛରେ ରହିଛି ଅନେକ ସଂଘର୍ଷ। ରାସ୍ତାକଡ଼ରେ ପୋଷ୍ଟର ଆଙ୍କି ରୋଜଗାର କରୁଥିବା ଜଣେ ଯୁବକଠାରୁ ଭାରତୀୟ ସିନେମାର ଜଣେ ଚର୍ଚ୍ଚିତ ଅଭିନେତା ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ନିଶ୍ଚିତ ଭାବେ ପ୍ରେରଣାଦାୟୀ।

